ଭୁବନେଶ୍ୱର : ବାହାରିଲାନି ନିଷ୍କର୍ସ । ଜାରି ରହିବ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀଙ୍କ ୪ ଘଣ୍ଟା ଆଲୋଚନା ପରେ ବି ବାହାରିପାରିଲାନି ନିଷ୍କର୍ଷ । ଡ୍ରାଇଭର ସଙ୍ଘର ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିଭିନ୍ନ ଶିଳ୍ପରେ ଡ୍ରାଇଭରଙ୍କୁ ନିଯୁକ୍ତି ଏବଂ ରାଜ୍ୟ ରାଜପଥରେ ସେମାନଙ୍କ ପାଇଁ ରେଷ୍ଟ ରୁମ ଆଦି ନିର୍ମାଣ କରିବା ଦିଗରେ ଆଲୋଚନା ହୋଇଛି । ବୈଠକରେ ଯୋଗ ଦେଇ ନଥିଲେ ଡ୍ରାଇଭର ମହାସଂଘ ସଭାପତି । ତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛି ଡ୍ରାଇଭର ମହାସଂଘ ।
ସୂଚନା ଅନୁସାରେ ଡ୍ରାଇଭର ମହାସଂଘର ୭ ଦଫା ଦାବି ମଧ୍ୟରେ ରହିଛି, ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ଚେତାବନୀ ଦେଇଛି ।
ସେପଟେ ଡ୍ରାଇଭର ସଂଘ ସହ ଆଲୋଚନା କରିବାକୁ ଯାଉଛନ୍ତି ସରକାର । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଯାତ୍ରୀ ହେଉ କି ମାଲ ପରିବହନ, ପ୍ରଥମ ଦିନରେ ହିଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକ । ତେଣୁ ଏବେ ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ଉପରେ ଏବେ ସମସ୍ତଙ୍କ ନଜର ।