ସୁନ୍ଦରଗଡ଼/ ରାଜଗାଙ୍ଗପୁର: ରାଜଗାଙ୍ଗପୁର ଡାଲ୍ମିଆ ସିମେଣ୍ଟ ଭାରତ ଲିମିଟେଡ୍ (ଡିସିବିଏଲ୍) କାରଖାନାରେ ଘଟିଥିବା ବଡ଼ ଅଘଟଣ ଘଟିବାର ୨୧ ଘଣ୍ଟା ପରେ ପ୍ରେସ ଇସ୍ତାହାର ଦେଇ ମୁହଁ ଖୋଲିଛି ଡାଲମିଆ ସିମେଣ୍ଟ କମ୍ପାନୀ। ୩ଜଣ ନିଖୋଜ ଥିବା କଂପାନୀ ସ୍ବୀକାର କରିଛି। ଏହାଛଡ଼ା କଂପାନୀ ପକ୍ଷରୁ କୁହାଯାଇଛି ଯେ ଗୁରୁତରମାନଙ୍କୁ ସ୍ୱତନ୍ତ୍ର ହସ୍ପିଟାଲକୁ ନିଆଯାଇଛି। ହେଲେ ଗୁରୁତରଙ୍କ ସଂଖ୍ୟା ଦେଇ ନାହିଁ କି କେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେନେଇ ସୂଚନା ଦେଇନାହିଁ। ଏଣେ ପ୍ରଶାସନ କହୁଛି କେହି ଗୁରୁତର ନାହାନ୍ତି। କମ୍ପାନୀ କହୁଛି ଅନ୍ୟକଥା । ଏଣୁ ପ୍ରଶାସନ ଓ କମ୍ପାନୀ ମଧ୍ୟରେ ରହୁନାହିଁ ତାଳମେଳ।
ସୂଚନା ଅନୁଯାୟୀ, ଲାଇନ୍-୨ରେ ଥିବା ୨୭ ମେଗାୱାଟ୍ ପ୍ଲାଣ୍ଟର ୧୨୫ ଟିପିଏଚ୍ ସିଏଫ୍ବିସି ବଏଲରର ଦୁଇଟି ଯାକ କୋଇଲା ବଙ୍କର୍ ଭାଙ୍ଗି ଯାଇଥିଲା। ଫଳରେ ପ୍ରାୟ ୮୦୦ ଟନ୍ କୋଇଲା ଗୁଣ୍ଡର କୃତ୍ରିମ ପାହାଡ଼ ସୃଷ୍ଟି ହୋଇଥିଲା। ଏହାରି ତଳେ ଶ୍ରମିକମାନେ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ କ୍ରେନ୍, ଆମ୍ବୁଲାନ୍ସ, ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟରେ କମ୍ପାନିର ଯନ୍ତ୍ରପାତି ବ୍ୟବହୃତ ହେଉଥିଲା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ସରକାରୀ ଆମ୍ବୁଲାନ୍ସ ଓ ଦମକଳ ବହୁ ସମୟ ଅଟକି ରହିଥିଲା। ବହୁ ବିଳମ୍ବରେ ବାହାର ଆମ୍ବୁଲାନ୍ସ ଓ ଦମକଳ ଭିତରକୁ ଛଡ଼ାଯାଇଥିଲା। ମୁଖ୍ୟ ଫାଟକ ବନ୍ଦ ଥିବାବେଳେ ପ୍ରଥମେ ଏସ୍ଡିପିଓ, ତହସିଲଦାର ଓ ପରେ ପହଞ୍ଚିଥିବା ସୁନ୍ଦରଗଡ଼ ଏସ୍ପି ଭିତରକୁ ଯାଇଥିଲେ।
ଦୁର୍ଘଟଣା ଖବର ପ୍ରଚାର ହେବା ପରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ପ୍ରଭାବିତ ଶ୍ରମିକଙ୍କ ପରିବାରବର୍ଗ ପହଞ୍ଚିବା ପରେ ଫାଟକ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନଙ୍କୁ ଦୁର୍ଘଟଣାସ୍ଥଳକୁ ଛାଡ଼ିବା ପାଇଁ ଲୋକେ ଦାବି କରିଥିଲେ। ତେବେ ଫାଟକ ଖୋଲା ଯାଇନଥିଲା। ଭିତରେ ଥିବା ଶ୍ରମିକଙ୍କ ସହ ଯୋଗାଯୋଗ ହୋଇ ପାରୁ ନଥିବାରୁ ପରିବାରବର୍ଗଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ କାରଖାନା ସମ୍ମୁଖରେ ବହୁ ସଂଖ୍ୟାରେ ପୁଲିସ୍ ମଧ୍ୟ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିଥିବା କାରଖାନା ବାଷ୍ପିତ ଉପନିର୍ଦ୍ଦେଶକ ଇଂ.ବିଭୁପ୍ରସାଦ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଗଣମାଧ୍ୟମକୁ ସେ ସର୍ବପ୍ରଥମ ପ୍ରତିକ୍ରିୟା ଦେଇ ଦୁର୍ଘଟଣା ଘଟିଥିବାବେଳେ ତାଙ୍କ ପାଖରେ ସବିଶେଷ ସୂଚନା ନଥିବା କହିଥିଲେ। ରାତି ୧୧ଟାରେ ଡିଆଇଜି ବ୍ରିଜେଶ ରାୟ ପହଞ୍ଚିବା ପରେ ଉଭୟ କାରଖାନା ଭିତରକୁ ଯାଇଥିଲେ।