ଆମେରିକା : ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ରୋକିବାକୁ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନର ପ୍ରତିନିଧି ଦଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦ ପ୍ରସ୍ତୁତ। ଏହି ହାଇ-ପ୍ରୋଫାଇଲ୍ ବୈଠକ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି ।
ସୂଚନାନୁଯାୟୀ, ସୁରକ୍ଷା ବ୍ୟବସ୍ଥା ପାଇଁ ଇସଲାମାବାଦକୁ ଏକ ସୁରକ୍ଷିତ ଦୁର୍ଗରେ ପରିଣତ କରାଯାଇଛି । ସହରରେ ୧୦ହଜାରରୁ ଅଧିକ ସାମରିକ ଏବଂ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆମେରିକା ପକ୍ଷରୁ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ (JD Vance) ନେତୃତ୍ୱ ନେଉଥିବା ବେଳେ ଇରାନର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି ଇସଲାମାବାଦରେ ପହଞ୍ଚିଛନ୍ତି । ଏଥିସହ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧକୁ ବନ୍ଦ କରିବା ଏବଂ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ଅନ୍ୟପଟେ ଆଲୋଚନା ପୂର୍ବରୁ ଜେଡି ଭାନ୍ସ ଇରାନକୁ ସତର୍କ କରାଇ କହିଛନ୍ତି ଯେ, ଆମେରିକା ଏହି ଆଲୋଚନା ପ୍ରତି ଗମ୍ଭୀର ଅଛି ଏବଂ ଇରାନ କୌଣସି ପ୍ରକାରର ଚତୁରତା କରିବା ଅନୁଚିତ୍ ।
