ବାଂଲାଦେଶ : ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ୪୦ ରୁ ୫୦ ଯାତ୍ରୀଙ୍କୁ ନେଇ ରାଜବୀରରୁ ଢାକା ଅଭିମୁଖେ ବସଟି ଯାଉଥିଲା । ଠିକ୍ ସନ୍ଧ୍ୟା ୫ଟାରେ ଦୌଲତଦିଆ ଫେରି ଟର୍ମିନାଲ ନମ୍ବର ୩ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ଏକ ଫେରିରେ ଚଢିବା ସମୟରେ ନିୟନ୍ତ୍ରଣ ହରାଇ ପାଣିରେ ପଡିଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି । ଏବେ ସୁଦ୍ଧା ଆହୁରି କିଛି ଲୋକ ମଧ୍ୟ ନିଖୋଜ ରହିଛନ୍ତି । କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅଧିକ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା ଏବଂ ସକାଳେ ପୁଣି ଆରମ୍ଭ ହୋଇଥିବା ପୋଲିସ ସୂଚନା ଦେଇଛନ୍ତି । ଅଗ୍ନିଶମ ସେବା, ନୌସେନା, ପୋଲିସ ଏବଂ ଅନ୍ୟାନ୍ୟ ଦଳଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲିଛି।”
ଅନ୍ୟପଟେ ଏପରି ଘଟଣା ଘଟିବା ପରେ ପଦ୍ମା ନଦୀ କୂଳରେ ସମ୍ପର୍କୀୟମାନଙ୍କର ଘଟଣାସ୍ଥଳରେ ଭିଡ଼ ଜମିଥିଲା । ସେମାନଙ୍କ ଘର ଲୋକଙ୍କୁ ଜୀବନ୍ତ ଉଦ୍ଧାର କରିବାକୁ ଭିଡ଼ ଜମାଇଥିବା ଜଣାପଡିଛି । ଯାହା ଅଗ୍ନିଶମ ସେବାର ବୁଡ଼ାଳି, ନୌସେନା ଏବଂ ପୋଲିସ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସ୍ଥାନୀୟ ପ୍ରଶାସନ ଏବଂ ରିଲିଫ୍ ଦଳ ଘଟଣାସ୍ଥଳରେ ସକ୍ରିୟ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି ।
