ବାଲେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ପୁରିଛି ଦୁଇ ବର୍ଷ । ଆଜି ବି ସେ କାଳରାତି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ୨୦୨୩ ଜୁନ୍ ୨ ଶୁକ୍ରବାର, ସମୟ ପାଖାପାଖି ୭ଟାରେ ହୋଇଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । ମାଲ୍ ବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ୍ ଓ ଯଶୋବନ୍ତପୁର ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧନ ଜୀବନ । ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଆଜି ଏହି ଘଟଣାକୁ ଦୁଇ ବର୍ଷ ପୁରିଛି । ଏହି ଦୁର୍ଘଟଣାରେ ୨୯୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଶହରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ ।
ଘଟଣା ଅନୁଯାୟୀ ହାୱଡାରୁ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ, ଅନ୍ୟପଟୁ ବେଙ୍ଗାଲୁରୁରୁ ହାୱଡା ଯାଉଥିଲା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ । ବାହାନଗା ଠାରେ ପୂର୍ବରୁ ଠିଆ ହୋଇଥାଏ ଲୁହା ବୋଝେଇ ମାଲବାହୀ ଟ୍ରେନ। ଘଣ୍ଟାକୁ ୧୨୮ କିଲୋମିଟର ପ୍ରତି ବେଗରେ ଆସୁଥିବା କରମଣ୍ଡଳ ଟ୍ରେନକୁ ବାଲେଶ୍ଵର ପରେ ଲୁପ ଲାଇନରେ ଯିବାକୁ ସିଗନାଲ୍ ମିଳିଥିଲା । କିନ୍ତୁ ସେହି ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନଟି ଛିଡା ହୋଇଥିଲା । ଯେଉଁଥିପାଇଁ ବାହାନାଗରେ ଉଭୟ ଟ୍ରେନ ମଧ୍ୟରେ ହୋଇଥିଲା ଧକ୍କା । ଏହି ଦୁର୍ଘଟଣାରେ କରମଣ୍ଡଳର ୨୧ଟି ବଗି ଓଲଟି ପଡିଥିଲା ଆଉ ସେଥିରୁ ୩ଟି ରେଲୱେ ଟ୍ରାକରେ ପଡିଥିଲା । ସେପଟେ ଅନ୍ୟ ପଟରୁ ଆସୁଥିବା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ ଧକ୍କା ହୋଇଥିଲା । ଏହି ଧକ୍କା ଫଳରେ ଯଶୋବନ୍ତପୁର ଏକ୍ସପ୍ରେସର ମଧ୍ୟ କିଛି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଶବ୍ଦ ଶୁଣି ଧାଇଁ ଆସିଥିଲେ ବାହାନଗାବାସୀ । କିଏ ଟ୍ରେନ ତଳେ ଚାପି ହୋଇ ରହିଯାଇଥିଲା ତ ଆଉ କାହାର ମୁଣ୍ଡ ନଥିଲା । ଆଉ କିଏ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲା । ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ସ୍ଥଳସେନା, ବାୟୁସେନା, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ଏନ୍ ଡିଆରଏଫ୍ ଟିମ୍ ସହ ମୋଟ ୧୨ ଶହରୁ ଅଧିକ ପୋଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା ।
ତେବେ ଏହି ଭୟଙ୍କର ଦୁର୍ଘଟଣାକୁ ଦୁଇ ବର୍ଷ ପୁରିଥିବା ବେଳେ ସେହି କଥା ମନେ ପଡିଲେ ଆଜି ବି ଲୋକଙ୍କ ଲୋମ ଟାଙ୍କୁରି ଉଠେ । କିଛି ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ଆଜି ବି ମିଳିପାରି ନାହିଁ । ଆଜି ବାହାନଗା ରେଳ ଷ୍ଟେସନ ଦେଇ ଦୌଡୁଛି ହଜାର ହଜାର ଟ୍ରେନ । ହେଲେ ସେଦିନର ସେ କାଳରାତି ଅନେକଙ୍କ ଜୀବନରେ ଯେଉଁ ଚିହ୍ନ ଛାଡି ଯାଇଛି ତାହା ଲିଭିବା ସହଜ ନୁହେଁ ।