କଟକ : ଭିଜିଲାନ୍ସ ଜାଲରେ ଏସଡିଓ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡ଼ିଓଙ୍କ ଘରେ ଚଢ଼ାଉ । ଗଞ୍ଜାମ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରାଙ୍କ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ପାଞ୍ଚଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ପଞ୍ଚୁ ବେହେରାଙ୍କ ବ୍ରହ୍ମପୁର ବସନ୍ତବିହାରର ତିନି ମହଲା ଆବାସିକ ଘରେ ଚଢ଼ାଉ ହୋଇଛି । ସେହିପରି ଭଞ୍ଜନଗର ସରକାରୀ କ୍ୱାଟର ସହ ଅଫିସରେ ମଧ୍ୟ ଯାଞ୍ଚ ଚାଲିଛି । ପୋଲସରାରେ ଥିବା ପୈତୃକ ଘରେ ଭିଜିଲାନ୍ସ ରେଡ ଚାଲିଛି । ବ୍ରହ୍ମପୁର ଭୀମନଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ ।
ସେହିପରି ଗତକାଲି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଶିକ୍ଷା ବିଭାଗର ଅଡିଟର । ତାଙ୍କ ଘରୁ ମିଳିଥିଲା ୨୮ ଲକ୍ଷ ନଗଦ ଟଙ୍କା । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିଲା । ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା ପାଇବା ପାଇଁ ଆବଶ୍ୟକ ‘ସର୍ଭିସ୍ ଭେରିଫିକେସନ୍’ କରିଦେବାକୁ ସେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ଗିରଫ ପରେ ଚଢ଼ାଉ କରାଯାଇ ୨୮.୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରାଯାଇଛି ଏବଂ ସେହି ଟଙ୍କାକୁ ଭିଜିଲାନ୍ସ ଜବତ କରିଛି ।
