ଭୁବନେଶ୍ୱର : ବାଲେଶ୍ବରରୁ ମିଳିଲା ଅପହୃତ ଶିଶୁ ପୁତ୍ର । ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ରକୁ ଜଣେ ଦୃଷ୍ଟି ବାଧିତ ମାଆଙ୍କ କୋଳରୁ ଉଠାଇ ନେଇଥିଲା ଅପହର୍ତ୍ତା । ଘଟଣାର ସିସିଟିଭି ଚିତ୍ର ଆଜି ସାମ୍ନାକୁ ଆସିଥିଲା । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୋଲିସ । ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ୨ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ଖଡଗପୁର, ହାୱଡ଼ା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ ପଠାଯାଇଥିଲା । ଟ୍ରେନ ଯୋଗେ ଅପହରଣକାରୀ ରାଜ୍ୟ ବାହାରକୁ ଶିଶୁଟିକୁ ନେଇଯାଇଥିବା ସନ୍ଦେହ କରାଯାଉଥିଲା । ଏକାଧିକ ଟିମ୍ ଗଠନ କରି ତଦନ୍ତ କରୁଥିଲା ପୋଲିସ। . ଏପଟେ ପୁଅକୁ ଝୁରି ଝୁରି ଦିବ୍ୟାଙ୍ଗ ମାଆ ଆଖିରୁ ଲୁହ ଶୁଖୁନି । ଗତ ପାଞ୍ଚ ଦିନ ହେବ ଶିଶୁର ମାଆ ରାମ ମନ୍ଦିର ଆଗରେ ଭିକ୍ଷା ବୃତ୍ତି କରୁଛନ୍ତି ।
ସୂଚନା ଅନୁସାରେ ଗତ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ୨ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା । ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦେଖାଇ ମାଆ କୋଳରୁ ଶିଶୁ ପୁତ୍ରକୁ ନେଇ ଚାଲିଗଲେ ଦୁର୍ବୃତ୍ତ । ଏଭଳି ଅଭିଯୋଗ ଆଣିଥିଲେ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା । ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଘଟଣା ।
ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ । ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ । ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଥିଲା । ଶେଷରେ ବାଲେଶ୍ବରରୁ ଅପହୃତ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ପୋଲିସ।