ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି, ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ଆଗାମୀ ଦିନରେ କିପରି ସେବାୟତ, ନିଯୋଗ ସମୂହ ଓ ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ସେବାରେ ବ୍ୟାହତ ସୃଷ୍ଟି ହେବନି ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଲିଙ୍ଗରାଜମନ୍ଦିରର ଶୃଙ୍ଖଳିତ ନୀତି ଏବଂ ପୂଜାବିଧିକୁ ସୂଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ସଚିବ ସ୍ପଷ୍ଟ ଭାବେ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୁ ସାରା ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳମାନଙ୍କର ଆରାଧ୍ୟ ଦେବତା । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ । ଆସନ୍ତା ୧୫ ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ଏକ ବଡ଼ ଆହ୍ବାନ୍। ଶୃଙ୍ଖଳିତ ଦର୍ଶନ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ ।

