Saturday, April 4, 2026
28.2 C
Odisha

    ଲୋକସଭାରେ ଗୃହୀତ ହେଲା ଇମିଗ୍ରେସନ୍‌ ବିଲ୍‌; ଭାରତ ଧର୍ମଶାଳା ନୁହେଁ: ଶାହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ଲୋକସଭାରେ ଆଜି ଇମିଗ୍ରେସନ ଆଣ୍ଡ ଫରେନର୍ସ ବିଲ୍‌, ୨୦୨୫ ଗୃହୀତ ହୋଇଛି।  ଏହି ବିଲ୍‌ କେନ୍ଦ୍ର ସରକାରଙ୍କୁ ଏକ କ୍ଷମତା ଦେଇଛି। ଏହି କ୍ଷମତା ଅନୁଯାୟୀ ସରକାର ଦେଶରେ ବିଦେଶୀ ଏବଂ ଆପ୍ରବାସନର ପରିଚାଳନା କରିପାରିବେ।  ଲୋକସଭାରେ ବିଲ୍‌ ଉପରେ ଆଲୋଚନା ସମୟରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତ ବ୍ୟବସାୟୀ, ଛାତ୍ର ଏବଂ ନିବେଶକଙ୍କୁ ସ୍ବାଗତ କରେ କିନ୍ତୁ ଯେଉଁମ‌ାନେ ଦେଶର ସୁରକ୍ଷା ପ୍ରତି ବିପଦ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।   ଶାହ କହିଛନ୍ତି,   କେବଳ ମନ୍ଦ ଉଦ୍ଦେଶ୍ୟ ରଖି ଭାରତ ଗସ୍ତ କରୁଥିବା ଲୋକଙ୍କୁ ସରକାର ଅଟକାଇବେ।  ଦେଶ ଧର୍ମଶାଳା ନୁହେଁ। ‌ଯେଉଁମାନେ ଜାତୀୟ ସୁରକ୍ଷା ପ୍ରତି ବିପଦ ସେମାନଙ୍କୁ ଦେଶକୁ ପ୍ରବେଶ ଅନୁମତି ମିଳିବନାହିଁ।  ମିଆଁମାର ଏବଂ ବାଂଲାଦେଶରୁ ରୋହିଙ୍ଗ୍ୟାମାନେ ଭାରତକୁ ବେଆଇନ ଅନୁପ୍ରବେଶ କରିବା ଉପରେ ଟିପ୍ପଣୀ ରଖି ଶାହ କହିଛନ୍ତି, ଏଭଳି ବ୍ୟକ୍ତି ବ୍ୟକ୍ତିଗତ ଫାଇଦା ପାଇଁ ଦେଶରେ ଶରଣ ନେଉଛନ୍ତି। ସେମାନେ ଦେଶକୁ ଅସୁରକ୍ଷିତ କରିଦେଉଛନ୍ତି।   ଆଜି ଆପ୍ରବାସନ ଓ ବିଦେଶୀ ନାଗରିକ ବିଲ୍‌ ଉପରେ ଲୋକସଭାରେ ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମ ବକ୍ତା ଭାବରେ ପ୍ରାୟ ୧୪ ମିନିଟ୍ ଧରି ବିଲ୍ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ବର୍ତ୍ତମାନ ସମୟରେ ଏହି ବିଲ୍‌ର ଜରୁରୀ ଆବଶ୍ୟକତା ରହିଛି ଏବଂ ଏପରି ଏକ ବିଲ୍‌କୁ ସଂସଦରେ ଆଗତ କରିଥିବାରୁ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ। ଦେଶର ଜାତୀୟ ସୁରକ୍ଷା ଦୃଷ୍ଟିରୁ ବୈଧ ରହଣୀକୁ ସୁନିଶ୍ଚିତ କରିବା ଏବଂ ବିପଦ ଏଡ଼ାଇବା ପାଇଁ ଏହ ବିଲ୍‌ ଅତୀବ ଗୁରୁତ୍ବପୂର୍ଣ୍ଣ ବୋଲି ସାଂସଦ ଷଡ଼ଙ୍ଗୀ ଯୁକ୍ତି ରଖିଥିଲେ । ୧୯୭୦ ମସିହାରେ ସୁପ୍ରିମକୋର୍ଟର ଏକ ମାମଲା ‘ଆର୍‌ ମଣ୍ଟେରିଆ ବନାମ ଗୋଆ’ର ଅବତାରଣା କରି ସେ କହିଥିଲେ, ସେତେବେଳେ ସୁପ୍ରିମକୋର୍ଟ ରାୟରେ ଉଲ୍ଲେଖ କରିଥିଲେ ଯେ କୌଣସି ରାଜ୍ୟରେ ବାହାର ବ୍ୟକ୍ତିଙ୍କ ପ୍ରବେଶ ଓ ବସବାସ କରିବା ସଂକ୍ରାନ୍ତ ନିଷ୍ପତ୍ତି ସେହି ରାଜ୍ୟର ଇଚ୍ଛାଧୀନ ଓ ଏହାକୁ ନେଇ ସନ୍ଦେହ ନ କରାଯିବା ଆବଶ୍ୟକତା ରହିଛି । କାରଣ ଏହା ସେହି ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗର ଅନ୍ତର୍ଭୁକ୍ତ । ସୁରକ୍ଷା ଦୃଷ୍ଟିରୁ ଯଥୋଚିତ ପଦକ୍ଷେପ ନିଆଯାଇପାରିବ। ଆଇନଗତ ଦୃଷ୍ଟିରୁ ସେହି ରାଜ୍ୟ ବାହ୍ୟ ବ୍ୟକ୍ତିଙ୍କୁ ତା’ର ଘରୁ ବା ସୀମାରୁ ବାହାର କରିଦେଇପାରେ । ସାଂସଦ ଷଡ଼ଙ୍ଗୀ କହିଥିଲେ ଯେ ୨୦୨୪ ଜାନୁଆରିରୁ ୨୦୨୫ ଜାନୁଆରି ମଧ୍ୟରେ ୨୬୦୧ ବାଂଲାଦେଶୀ ଶରଣାର୍ଥୀ ଦେଶରେ ପ୍ରବେଶ କରିଛନ୍ତି । ୨୦୨୧ରେ ରେ ବି ୫୦୦ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ୩୧୮ ରୋହିଙ୍ଗ୍ୟାଙ୍କୁ ଭାରତ-ବାଂଲାଦେଶ ସୀମାରୁ ଗିରଫ କରାଯାଇଥିଲା। ଏଭଳି ସଂଖ୍ୟାକୁ ଦେଖିଲେ ଆମକୁ ଜାତୀୟ ସୁରକ୍ଷା ନେଇ ଗମ୍ଭୀରତାର ସହ ଚିନ୍ତା କରିବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ