ଭୁବନେଶ୍ବର : ଭୁବନେଶ୍ବରରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ । ଲୋକସେବା ଭବନର କନଭେନ୍ସନ୍ ହଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବିଆର ଗଭାଇ । ମଧ୍ୟସ୍ଥତା ମାଧ୍ୟମରେ ମକଦ୍ଦମାର ସମାଧାନ ନେଇ ଆୟୋଜିତ ହୋଇଛି ଜାତୀୟ କର୍ମଶାଳା । କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟ ଆଇନମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀରେ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଏହି ୨୦୦ଶହ ପ୍ରତିନିଧି ଯୋଗ ଦେଇଛନ୍ତି । ମଧ୍ୟସ୍ଥତା ଆଇନ ନେଇ ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ବୈବାହିକ, ଜମିବାଡ଼ି ବିବାଦ ଓ ଅନ୍ୟାନ୍ୟ ଛୋଟ ଛୋଟ ମୋକଦ୍ଦମା ଆଦି କୋର୍ଟରେ ବର୍ଷ ବର୍ଷ ଦରି ପଡି ରହୁଛି ।
ଏହାର ସରଳ ଓ ଶୀଘ୍ର ସମାଧାନ କରିବା ପାଇଁ ମେଡିଏସନ ଆକ୍ଟ ମାଧ୍ୟମରେ କିଭଳି ପଦକ୍ଷେପ ନିଆଯିବ ତାହା ଉପରେ ସମ୍ମିଳନୀରେ ଚର୍ଚ୍ଚା ହୋଇଛି । ୨୦୨୩ ରେ ଆସିଥିଲା ମଧ୍ୟସ୍ଥତା ଆଇନ । ଏହି ଆଇନ ମାଧ୍ୟମରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଏଣିକି ଏହି ଆକ୍ଟ ଦ୍ବାରା ବିଭିନ୍ନ ମୋକଦ୍ଦମା ନେଇ କଚେରୀକୁ ବାରମ୍ବାର ଧାଉଁଥିବା ଲୋକେ ଆଶ୍ବସ୍ତ ହେବେ । ଆଇନଜୀବୀଙ୍କୁ ଆଉ ଟଙ୍କା ଗଣିବାକୁ ପଡିବ ନାହିଁ ଓ କୋର୍ଟ ଖର୍ଚ୍ଚ ମଧ୍ୟ କମ୍ ହେବ ବୋଲି ଆଲୋଚନା ହୋଇଥିଲା । ଦ୍ବିତୀୟରେ କମ୍ ସମୟ ମଧ୍ୟରେ ସମସ୍ୟାର ସମାଧାନ ହୋଇପାରିବ । ତୃତୀୟରେ ବାଦୀ- ପ୍ରତିବାଦୀଙ୍କ ମଧ୍ୟରେ ତିକ୍ତତା ତୁଟିବା ସହ ସଂପର୍କ ରକ୍ଷା ହୋଇପାରିବ ବୋଲି ସମ୍ମିଳନୀରେ ଆଲୋଚନା ହୋଇଛି ।