ଆମେରିକା : ସିରିଆରେ ବର୍ଷିଲା ନିଆଁ, ଥରିଲା ISIS । ସିରିଆରେ ISIS ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ଧ୍ବଂସ ହୋଇଛି ୭୦ରୁ ଅଧିକ ISIS ଆଡ୍ଡା । ଗତକାଲି ରାତିରେ ସିରିଆର ISIS ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ କରିଛି ଆମେରିକା । ‘ଅପରେସନ ହକ ଆଇ ଷ୍ଟ୍ରାଇକ’-Operation Hawkeye Strike ଜରିଆରେ ପ୍ରାୟ ୭୦ରୁ ଅଧିକ ISIS ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା ।
ସୂଚନାନୁଯାୟୀ, ପାଲମାଇରା, ରାକ୍କା ଓ ଦେର ଏଜ-ଜୋର ନିକଟରେ ଥିବା ଆତଙ୍କୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ ତାଲିମ ସେଣ୍ଟର ଉପରେ ଭୀଷଣ ଆକ୍ରମଣ ହୋଇଥିଲା । F-15 ଇଗଲ୍, A-10 ଯୁଦ୍ଧ ବିମାନ, ଆପାଚି ହେଲିକପ୍ଟର ଓ HIMARS ରକେଟ୍ ସିଷ୍ଟମ୍ ଦ୍ବାରା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏହି ଆକ୍ରମଣରେ ISISର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଆତଙ୍କବାଦୀ ଓ ଟପ୍ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଗତ ୧୩ରେ ପାଲମାଇରା ନିକଟରେ ଏକ ଆମେରିକୀୟ କନଭୟ ଉପରେ ଆକ୍ରମଣ କରିଥିଲା ISIS ଆତଙ୍କବାଦୀ । ଫଳରେ ୩ ଜଣ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ସ୍ବରୂପ ଗତକାଲି ରାତିରେ ଏହାର ଜବାବ ଦେଇଥିଲା ଆମେରିକା ।
ସେପଟେ ସୋସିଆଲ ମିଡିଆରେ ISIS ଆତଙ୍କୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ, ‘ଆମେରିକୀୟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ । ISIS ର ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦିଆଯିବ । ଯଦି କେହି ଆମେରିକା ଉପରେ ଆକ୍ରମଣ କରେ, ତେବେ ତାକୁ ପୂର୍ବ ଅପେକ୍ଷା ଆହୁରି କଡ଼ା ଜବାବ ଦିଆଯିବ।’ ତେବେ ଗୁଇନ୍ଦା ସୂଚନାନୁଯାୟୀ, ସିରିଆରେ ISIS ପୁଣିଥରେ ନିଜକୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଥିଲା । ଫଳରେ ଏହି ଆକ୍ରମଣ ଦ୍ୱାରା ଏହା ଉପରେ ରୋକ ଲଗାଯାଇଛି ।

