ଗୋଟିଏ ରାଜ୍ୟର ମହାମାନ୍ୟ, ପ୍ରକୃତି ପ୍ରେମୀ, ପ୍ରଜାବତ୍ସଳ ରାଜା ଅନେକ ଫଳ ଓ ପୁଷ୍ପ ଉଦ୍ୟାନ କରି ତାର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥାନ୍ତି । ଏଥିପାଇଁ ସେ ଅନେକ ମାଳି ମଧ୍ୟ ନିୟୋଜିତ କରିଥାନ୍ତି । ଏକଦା ଗୋଟିଏ ସୁନ୍ଦର ଅନନ୍ୟ ପୁଷ୍ପର ମହକରେ ରାଜା ବିମୋହିତ ହୋଇଉଠିଲେ । ରାଜା ଉଦ୍ୟାନର କର୍ମଚାରୀ ତଥା ମାଳିମାନଙ୍କୁ ଏଇ ଫୁଲର ନାମ ପୁଚ୍ଛା କଲେ । କେହି ଏହା ଜାଣିପାରିଲେ ନାହିଁ । ଏ ଫୁଲର ପ୍ରକୃତ ପରିଚୟ ଚିହ୍ନଟ କରିବାକୁ ରାଜା ନିଜର ବୁଦ୍ଧିମାନ ମନ୍ତ୍ରୀଙ୍କୁ ବରାଦ କଲେ । ମନ୍ତ୍ରୀ କେତେକ ମହୁମାଛି ସହାୟତାରେ ଜାଣିଲେ ଯେ ଏହା ଉଦ୍ୟାନ ମଧ୍ୟସ୍ଥ ଗୋଟିଏ ଛୋଟ ଘାସ ଫୁଲଟିଏ । ରାଜା ଆଶ୍ଚର୍ଯ୍ୟ ହେଲେ ଯେ ଯେଉଁ ଘାସଫୁଲର ଯତ୍ନ ନିଆଯାଏନି ବରଂ ଆମେ ତାହାକୁ ପାଦରେ ଦଳି ମକଚି ଚାଲିଯାଉ, ସେଇ ଫୁଲର ସୁଗନ୍ଧ ଓ ଶୋଭା ଏତେ ଚମତ୍କାରୀ ! ରାଜା ସେଇ ବଗିଚାର ମାଳି ଓ ମନ୍ତ୍ରୀଙ୍କୁ ପୁରସ୍କୃତ କଲେ ।
ଗୋଟିଏ ଘାସ ଫୁଲର ଅପୂର୍ବ ଶୋଭା ଓ ସୁଗନ୍ଧ ଥିବାପରି ଆମ ମନ ବଗିଚାର କୌଣସି ଏକ ସ୍ଥାନରେ ସୁଖ ଆତ୍ମଗୋପନ କରି ରହିଛି । ଆମେ ତାର ସନ୍ଧାନ ନେଇ ପାରୁ ନାହାନ୍ତି । ଏଇ ଲୁକ୍କାୟିତ ସୁଖକୁ ଖୋଜି ଖୋଜି ନପାଇ ଦୁଃଖର ଗଭୀର ଭଉଁରୀରେ ଉବୁଟୁବୁ ହେଉଛେ । କେବେକେବେ ଏଇ ସୁଖକୁ ପାଇ ବିଭୋର ହୋଇ ଉଠୁଛେ ତ କେବେ ପ୍ରାପ୍ତ ନହୋଇ ନିରାଶା, ହତାଶାର ବଶବର୍ତ୍ତୀ ହେଉଛେ । ସାଧାରଣତଃ କଳା ମଚମଚ ଘୃଣ୍ୟ ପଙ୍କ ମଧ୍ୟରୁ ପଦ୍ମ ଫୁଟି ବିକଶିତ ହୋଇ ଶୋଭା ଓ ସୁଗନ୍ଧ ଖେଳେଇ ଦିଏ । ଖତୁଆ ଜିଆଥିବା ମାଟିରୁ ସୁନ୍ଦର ସୁନାର ଫସଲ, ଫୁଲ, ଫଳ ମିଳିଥାଏ । ଏଇ ମାଟି ଆମକୁ ବଞ୍ଚିବାର ଖୋରାକ ଯୋଗେଇ ଥାଏ | ଦୁର୍ଗନ୍ଧ ଲାଗୁଥିବା ଗୋବର ବହୁତ ପବିତ୍ର । ଠିକ ସେପରି ଏଇ ଜଞ୍ଜାଳପୂର୍ଣ୍ଣ ସମାଜରୁ ସୁଖ ଓ ଶାନ୍ତିର ଅସଲ ସନ୍ଧାନ ନେଇ ପାରିଲେ ହେଲା । ନିଜର ସାମର୍ଥ୍ୟ ଠାରୁ ଅଧିକ ଖୋଜିବା, ଅତ୍ୟଧିକ ଆଶା କରିବା, ଅଳ୍ପ ଦେଇ ଅଧିକ ପ୍ରାପ୍ତିର ଆଶା ରଖିବା ହିଁ ଦୁଃଖର ମୂଳ କାରଣ । ମୋହ, ମାୟା, ଅର୍ଥ, ସ୍ଵାର୍ଥ, ବସ୍ତୁବାଦୀ ଚିନ୍ତାଧାରା ମଣିଷକୁ ଅଧିକ ଦୁଃଖୀ କରିଦିଏ । ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟ ହୋଇ ନପାରିଲେ ଦୁଃଖର ମାତ୍ରା ବୃଦ୍ଧି ହୁଏ । ଦୁଃଖରେ ଅଧୀର ହୋଇପଡ଼ି ପରିବେଶ ସହିତ ଖାପ ଖୁଆଇ ନଚଳିଲେ ଆମେ କିପରି ଅମୃତ ସନ୍ଧାନୀ ମଣିଷର ଆଖ୍ୟା ପାଇପାରିବା? କାହାର ନିନ୍ଦା, ଅପବାଦ, ତାତ୍ସଲ୍ୟ, ପରିହାସକୁ ହସିହସି ହାଲକା ଭାବେ ନେଇଗଲେ ଝଡ଼ ଆପେ ଆପେ ଚାଲିଯିବ । ସମସ୍ୟା ସବୁକୁ ବୋଝଭଳି ଭାବି ମୁଣ୍ଡରେ ମୁଣ୍ଢେଇ ଚାଲିଲେ ତାର ସମାଧାନ ହୋଇପାରିବ ନାହିଁ ବରଂ ତାର ସମାଧାନର ବାଟଖୋଜି, ତିଆରି କରି ଆଗକୁ ଆଗେଇ ଯିବା ଶ୍ରେୟସ୍କର । ସର୍ବଦା ଉପରକୁ ଚାହିଁ ବଡ ହେବାର ଆଶା ରଖିବା ଠିକ । ମାତ୍ର କେବେକେବେ ତଳକୁ ଚାହିଁ ଆମେ ନିଜର ଅତୀତଠାରୁ ଏବେ କେତେ ଉଚ୍ଚରେ ଅଛନ୍ତି ତାହା ମଧ୍ୟ ଦେଖିନେବା ଜରୁରୀ । ତେବେ ଯାଇ ଆମକୁ ଅସଲ ସୁଖର ଠିକଣା ମିଳିପାରିବ ।
କାହାଣୀ- ନିରଞ୍ଜନ ପତି