ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟଙ୍କା ଗାଡିକୁ ଧରିଛି cbi।
ଶନିବାର ରାତିରେ ହୋଟେଲ ମେ’ ଫେୟାର ସାମନାରୁ ୪ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସିବିଆଇ । ୨ ଜଣ ହୋଟେଲ ସାମନାରେ ପାର୍କିଂ ହୋଇଥିବା ଏକ ମର୍ସିଡିଜ୍ କାର୍ ଭିତରେ ବସିଥିବା ବେଳେ ଅନ୍ୟ ଦୁଇ ଜଣ ହୋଟେଲ ଭିତରେ ସେମାନଙ୍କୁ ଅପେକ୍ଷା କରିଥିବା କୁହାଯାଉଛି । କାର୍ ରୁ କୋଟିଏରୁ ଅଧିକ ଟଙ୍କା ଏବଂ ବିପୁଳ ସୁନା ଅଳଙ୍କାର ଠାବ ହୋଇଥିବା ଜଣାପଡ଼ିଛି । ନୟାପଲ୍ଲୀ ପୁଲିସ ସହଯୋଗରେ ସିବିଆଇର ଏହି ରେଡ୍ କୁ ନେଇ ହଟଚମଟ ସୃଷ୍ଟି ହୋଇଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ସିବିଆଇ ହାବୁଡରେ ପଡ଼ିଥିବା ବ୍ୟକ୍ତି ହେଉଛନ୍ତି ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ନିଦେ୍ର୍ଦଶକ ଆଦିତ୍ୟ ମହାପାତ୍ର ଏବଂ ତାଙ୍କର ସହଯୋଗୀ । ଆଜି ରାତି ପ୍ରାୟ ୯ଟା ବେଳେ ସିବିଆଇ ତାଙ୍କୁ ମେ’ ଫେୟାର ହୋଟେଲ ସାମନାରୁ କାବୁ କରିଥିଲା । ହୋଟେଲ୍ ସାମନା ପାର୍କିଂ ଜାଗାରେ ଆଦିତ୍ୟ ତାଙ୍କର ମର୍ସିଡିଜ୍ କାର୍ OD 05 BV 9999ରେ ଜଣେ ସହଯୋଗୀଙ୍କ ସହ କାହାରିକୁ ଅପେକ୍ଷା କରିଥିଲେ । ସେତିକି ବେଳେ ସିବିଆଇର ଏକ ଟିମ୍ ସେହି କାର୍ ଉପରେ ଚଢ଼ଉ କରି ଆଦିତ୍ୟ ଏବଂ ସହଯୋଗୀଙ୍କୁ ଧରିଥିଲା ବେଳେ ଅନ୍ୟ ଏକ ଟିମ୍ ହୋଟେଲ ଭିତରେ ଥିବା ଦୁଇଜଣଙ୍କୁ ବାହାରକୁ ଘୋଷାଡି ଆଣୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛି ।
କାର୍ ଭିତରେ ସର୍ଚ୍ଚ ବେଳେ ସିବିଆଇ ଅଧିକାରୀମାନେ କୋଟିଏରୁ ଅଧିକ ଟଙ୍କା ଏବଂ ଏକ ମୁଣିରୁ ବିପୁଳ ପରିମାଣର ସୁନା ଅଳଙ୍କାର ପାଇଥିବା ଜଣାପଡ଼ିଛି ।
ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ବିରୋଧରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ପୂର୍ବରୁ ସିବିଆଇ ପାଖରେ ରହିଥିବା ସୂଚନା ମିଳିଛି । ଏହି ଅଭିଯୋଗ ଆଧାରରେ ପୁଲିସ ସଂସ୍ଥାର ନିଦେ୍ର୍ଦଶକ ତଥା ମାଲିକ ଆଦିତ୍ୟ ମହାପାତ୍ରଙ୍କ ଉପରେ ନଜର ରଖିଥିଲା । ଏକ ସୂତ୍ରର ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କଠାରୁ ୧୦୦ କୋଟି ଟଙ୍କାର ଏକ କାମ ପାଇବା ପାଇଁ ସଂସ୍ଥା କଥାବାର୍ତ୍ତା କରୁଥିବା ସିବିଆଇ ଠୋସ୍ ଖବର ପାଇଥିଲା । ଆଜି ସେଥିପାଇଁ ଡିଲ୍ ହେଉଥିବା ସୂଚନା ମିଳିଲା ପରେ ମେ’ ଫେୟାର ଆଗରେ ସିବିଆଇର ଦୁଇଟି ଟିମ୍ ଛକି ରହିଥିଲେ ।
ଅନ୍ୟ ଏକ ସୂତ୍ରର ଖବର ଅନୁଯାୟୀ, ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡକୁ ସରକାରୀ ଅନୁଗ୍ରହ ଦେବା ପଛରେ ଜଣେ ବରିଷ୍ଠ ତଥା ପ୍ରଭାବଶାଳୀ ଅଧିକାରୀଙ୍କର ସଂପୃକ୍ତି ରହିଛି । ୧୦୦ କୋଟି ଟଙ୍କାର କାମକୁ ସଂସ୍ଥା ହାତରେ ଟେକି ଦେବା ଯୋଜନାରେ ସଂପୃକ୍ତ ବରିଷ୍ଠ ଅଧିକାରୀଙ୍କର ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଛି ।