ନୂଆଦିଲ୍ଲୀ : ଭାରତୀୟଙ୍କ ପାଇଁ ଖୁସି ଖବର । ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ଅଧିକାର ଦାୟିତ୍ବ ଭାରତକୁ ମିଳିଛି । ଗୁଜରାଟର ଅହମ୍ମଦାବାଦ ସହରକୁ ମିଳିଛି ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନର ଦାୟିତ୍ବ । ଗ୍ଲାସଗୋରେ ଅନୁଷ୍ଠିତ ୭୪ ରାଜ୍ୟଗୋଷ୍ଠୀ ସଦସ୍ୟଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭାରତ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଏକ ଆକର୍ଷଣୀୟ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲା । ଏଥିପାଇଁ ଅହମ୍ମଦାବାଦକୁ ମନୋନୀତ କରିଥିଲା ଭାରତ । ଭାରତ ଶେଷ ଥର ପାଇଁ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିଥିଲା । ଉକ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହି ସଂସ୍କରଣରେ ଭାରତୀୟ ଖେଳାଳିମାନେ ୧୦୧ ପଦକ ଜିତି ଏକ ଐତିହାସିକ ସଫଳତା ହାସଲ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରଥମ ଥର ପାଇଁ ୧୯୩୦ରେ କାନାଡା ଦ୍ୱାରା ଆୟୋଜିତ ହୋଇଥିଲା ।
ଗତ କିଛି ମାସ ମଧ୍ୟରେ ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ୍, ଏସୀୟ ଆକ୍ଵାଟିକ ଚାମ୍ପିଅନସିପ୍ ଏବଂ AFC U-17 ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ଭଳି ଇଭେଣ୍ଟ ଆୟୋଜନ କରାଯାଇଛି । ଭବିଷ୍ୟତରେ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍, ଏସିଆ ପାରା-ତୀରନ୍ଦାଜୀ କପ୍ ଏବଂ ୨୦୨୯ ବିଶ୍ଵ ପୋଲିସ ଏବଂ ଅଗ୍ନିଶମ ଖେଳ ମଧ୍ୟ ଏଠାରେ ଅନୁଷ୍ଠିତ ହେବ । ବିଶ୍ଵର ସର୍ବବୃହତ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ ସହିତ ଏକ ଆକ୍ଵାଟିକ କେନ୍ଦ୍ର, ଏକ ଫୁଟବଲ୍ ଷ୍ଟାଡିୟମ ଏବଂ ଇନଡୋର ଆରେନା ଅନ୍ତର୍ଭୁକ୍ତ ହେବ । ଏହି କମ୍ପ୍ଲେକ୍ସ ମଧ୍ୟରେ ୩ ହଜାର ଖେଳାଳିଙ୍କ ପାଇଁ ଏକ କ୍ରୀଡ଼ା ଗ୍ରାମ ମଧ୍ୟ ନିର୍ମାଣ କରାଯିବ ।
ସୂଚନାଯୋଗ୍ୟ, ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହେବାକୁ ଯାଉଛି । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଅଧିକାରକ ଭାବେ XXIV Commonwealth Games ନାମ ଦିଆଯାଇଛି । ଏହା ଟୁର୍ଣ୍ଣାମେଣ୍ଟର ୨୪ତମ ସଂସ୍କରଣ ହେବ । ତେବେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଂଲଣ୍ଡର ବର୍ମିଂହାମରେ ଖେଳାଯାଇଥିଲା ।

