ନୟାଗଡ ଜିଲ୍ଲା ଟାକରା ଘାଟିରେ ବସ୍‌-ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ଟ୍ୟାଙ୍କର ଚାଳକ ମୃତ

ନୟାଗଡ ଜିଲ୍ଲା ଟାକରା ଘାଟିରେ ବସ୍‌-ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ଟ୍ୟାଙ୍କର ଚାଳକ ମୃତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଟ୍ୟାଙ୍କର ଡ୍ରାଇଭର ବୋଲି ଜଣାପଡ଼ିଛି ।

ଆଜି ଦିନ ପ୍ରାୟ ୧୨ଟା ସମୟରେ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ(OSRTC) ବସ୍ ୬୦ଜଣ ଯାତ୍ରୀଙ୍କୁ ନେଇ କଣ୍ଟାମାଳରୁ ଜଟଣୀ ଅଭିମୁଖେ ଆସୁଥିବା ବେଳେ ଟାକରା ଘାଟି ନିକଟରେ ବିପରୀତ ଦିଗରୁ ଆସୁଥିବା ଗ୍ୟାସ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଟ୍ୟାଙ୍କର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସ୍‌ ଡ୍ରାଇଭର ଗାଡ଼ି ଚକା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ ଡ୍ରାଇଭର ସମେତ ଅନ୍ୟ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ସହ ତଦନ୍ତ କରୁଛି ।