ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା, ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା ସିବିଆଇ

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା, ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା ସିବିଆଇ
ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା, ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ ୧୨/୦୯: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ମାମଲାରେ ସିବିଆଇ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି । ​ଦୁଇଟି ଭିନ୍ନ ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିବା ବେଳେ ସେମାନେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଦୁଇଟି ମାମଲା କୁଚବିହାର ଜିଲ୍ଲାର ବୋଲି ଜଣାପଡ଼ିଛି ।

ପ୍ରଥମ ମାମଲା ପଶ୍ଚିମବଙ୍ଗ କୁଚବିହାରର ତୁଫାନଗଞ୍ଜ ତାନା ଅଞ୍ଚଳର। ରୁଜୁ ହୋଇଥିବା ମାମଲା ମୁତାବିକ, ସହୀନୁର ଅହମଦ ଏବଂ ତାଙ୍କର ପଡ଼ୋଶୀ ପ୍ରସନଜୀତ ଶାହା ଟିଏମସି କାର୍ଯ୍ୟକର୍ତ୍ତା ଥିଲେ।  ମେ ୨ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପ​‌ରେ ୧୬ ଜଣ ଅଭିଯୁକ୍ତ ବିଜେପି କାର୍ଯ୍ୟକର୍ତ୍ତା ରାମ ପାଲଙ୍କ ଘରେ ଏକାଠି ହୋଇଥିଲେ। ରାମ ପାଲଙ୍କ ଜରିଆରେ ଦୁଇ ଜଣଙ୍କୁ ଖାଇବାକୁ ଡକାଯାଇଥିଲା। ଖାଇବା ପରେ ୧୬ ଅଭିଯୁକ୍ତ ଦୁଇ ଜଣଙ୍କ(ସହୀନୁର ଏବଂ ପ୍ରସନଜୀତ) ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।  ଏହା ପରେ ସେମାନଙ୍କୁ ମକା କ୍ଷେତରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା ।

ଏଥିରେ ସହୀନୁରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତାଙ୍କ ବାପା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ସିବିଆଇ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବାକି ଅଭିଯୁକ୍ତଙ୍କୁ ଖୋଜୁଛି।

ଅନ୍ୟ ମାମଲାଟି କୁଚବିହାର ଜିଲ୍ଲା ଦିନହାଟା ଥାନା ଅଞ୍ଚଳରେ ଘଟିଥିଲା। ମେ ୩ରେ ହର୍ଦନ ରାୟଙ୍କୁ ଅର୍ଜୁନ ମୁଣ୍ଡା ନାମକ ଅଭିଯୁକ୍ତ ନିଜ ସାଥିରେ ନେଇଯାଇଥିଲା। ପରେ ହର୍ଦନଙ୍କ  ମୃତଦେହ ରାଜଘୋଡ଼ା ନଦୀ ପାଖରେ ମିଳିଥିଲା। ଏହି ମାମଲାରେ ସିବିଆଇ ୭ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।