ଜମ୍ମୁ କାଶ୍ମୀର ର ସୋପିଆନ୍‌ରେ ନିପାତ ହେଲେ ତିନି ଦୁର୍ଦ୍ଦର୍ଷ ଆତଙ୍କବାଦୀ...

ଜମ୍ମୁ କାଶ୍ମୀର ର ସୋପିଆନ୍‌ରେ ନିପାତ ହେଲେ ତିନି ଦୁର୍ଦ୍ଦର୍ଷ ଆତଙ୍କବାଦୀ...

କରୋନା କାଳରେ ମଧ୍ୟ ଆତଙ୍କବାଦୀମାନେ ସେମାନଙ୍କର ଅସାମାଜିକ କାର୍ଯ୍ୟକଳାପ ଜାରି ରଖି ବୀଭତ୍ସ ହିଂସାକାଣ୍ଡମାନ ଘଟାଇ ଚାଲିଛନ୍ତି । ତେବେ ସେଠାରେ ମୁତୟନ ଥିବା ଭାରତର ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କର ଏହି ଘୃଣ୍ୟ ଅଭିସନ୍ଧିର ସଫଳ ମୁକାବିଲା ଜାରି ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ଜମ୍ମୁ କାଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଢେର ସମୟ ଗୁଳି ବିନିମୟ ହୋଇଥିଲା । ପରିଶେଷରେ ସୁରକ୍ଷାକର୍ମୀଙ୍କ ସଫଳ ରଣନୀତିରେ ସାମ୍‌ନା କରି ନପାରି ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଇନ୍ଦା ଖବର ମିଳିବା ପରେ କାନିଗାମ ଅଞ୍ଚଳରେ ଛପି ରହିଥିବା ଆତଙ୍କବାଦୀମାନଙ୍କୁ ଘେରାଉ କରି ସେମାନଙ୍କୁ ନିଃସର୍ତ୍ତ ଆତ୍ମସମର୍ପଣ କରିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ । ସୁରକ୍ଷାକର୍ମୀ ବାଧ୍ୟ ହୋଇ ପାଲଟା ଗୁଳି ଚାଳନା କରିବାରୁ କୁଖ୍ୟାତ ଆତଙ୍କବାଦୀମାନେ ନିହତ ହୋଇଥିଲେ । ଏ ନେଇ କାଶ୍ମୀର ପୋଲିସ ପକ୍ଷରୁ ଏକ ଟ୍ୱିଟ କରାଯାଇଛି ।