କୂଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ଗୋଳାବାରୁଦ ଓ ମାରଣାସ୍ତ୍ର ଜବତ

କୂଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ଗୋଳାବାରୁଦ ଓ ମାରଣାସ୍ତ୍ର ଜବତ
କୂଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ଗୋଳାବାରୁଦ ଓ ମାରଣାସ୍ତ୍ର ଜବତ

ନୀଳଗିରି,୨୧/୦୮: ନୀଳଗିରି ଅଂଚଳରେ ଥିବା କୂଳଡିହା ଅଭୟାରଣ୍ୟରୁ ବନବିଭାଗ ଚଢ଼ାଉ କରି ବ୍ୟାପକ ଗୋଳାବାରୁଦ ସହ ମାରଣାସ୍ତ୍ର ଜବତ କରିବା ସହ ୫ ଜଣ ଶିକାରୀ ଗିରଫ । ସୂଚନାଯୋଗ୍ୟ ମଧ୍ୟାହ୍ନରେ କିଛି ଶିକାରୀ କୂଳଡିହା ଭିତରକୁ ପ୍ରବେଶ କରିଥିବା ବନବିଭାଗ ସୂଚନା ପାଇଥିଲା । କୂଳଡିହା ରେଞ୍ଜର ଦାୟିତ୍ୱରେ ଥିବା ମନ୍ବର ଖାଁଙ୍କ ନିର୍ଦେଶରେ ବନ କର୍ମଚାରୀ ଓ ଅଧିକାରୀ ମାନେ ପେଟ୍ରୋଲିଂ କଡାକଡି କରିଥିଲେ ।

ଚେମଚଟା ବିଟର ଫରେଷ୍ଟଗାର୍ଡ ଲାଲମୋହନ ସିଂ ପେଟ୍ରୋଲିଂ କରୁଥିବା ସମୟରେ ମଡ଼ିଚୁଆ ଡ୍ୟାମ ନିକଟରୁ ଧନୁତୀର, ବିସ୍ଫୋରକ ସାମଗ୍ରୀ, ବନ୍ଧୁକ ରଡ଼ ଜବତ କରିବା ସହ ଘଟଣା ସ୍ଥଳରୁ ମଡ଼ିଚୁଆ ଗ୍ରାମର ରାମଏ ହୋ ଓ ମୟୁରଭଞ୍ଜ ଜିଲ୍ଲା ରାଇପାଳ ନିକଟ ଦରିପାଳ ଗ୍ରାମର ଶୁକୁରା ତିଉ ଦୁଇ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଏନେଇ ୧୩ ନମ୍ବର ମାମଲା ରୁଜୁ ହୋଇଛି ।

ସେହିପରି ପୁରୁଣାପାଣି ବିଟର କାର୍ଯ୍ୟରତ ଫରେଷ୍ଟଗାର୍ଡ ଆୟୁଷ୍ମାମ ପଣ୍ଡା ବନକର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିବା ସମୟରେ ଜାନକୀପାଳ ଗ୍ରାମର ବିପିନା ବିଶ୍ୱାଳ, ଗରେନ୍ଦ୍ର ଦେହୁରୀ ଓ ସେହିଗ୍ରାମର ପ୍ରହଲ୍ଲାଦ ଜେନା ତିନି ଶିକାରୀଙ୍କୁ ଚାନ୍ଦିଚୁଆ ନିକଟରୁ ଗିରଫ କରିବା ସହ ସେମାନଙ୍କ ଠାରୁ ଧନୁତୀର ଜବତ କରିଛନ୍ତି ।

ଏନେଇ ୧୪ ନମ୍ବର ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ବନ୍ଧୁକ ରଡ଼ ଜବତ ହୋଇଥିବାରୁ ବନ୍ଧୁକ ଧାରୀ ଶିକାରୀ ଖସି ଯାଇଥିବାର ଅନୁମାନ କରାଯାଉଛି । ତେବେ ଜୀବ ଜନ୍ତୁ ସୁରକ୍ଷା ନେଇ ପେଟ୍ରୋଲିଂ କଡାକଡି କରିଦିଆଯାଇଥିବା ରେଞ୍ଜର ଶ୍ରୀ ଖାଁ ପ୍ରକାଶ କରିଛନ୍ତି । ଗିରଫ ୫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି.