ବଢିଲା ସୋନୁ ସୁଦଙ୍କ ଅଡୁଆ,୨୦ କୋଟି ଟ୍ୟାକ୍ସ ହେରଫେର ଅଭିଯୋଗ

ବଢିଲା ସୋନୁ ସୁଦଙ୍କ ଅଡୁଆ,୨୦ କୋଟି ଟ୍ୟାକ୍ସ ହେରଫେର ଅଭିଯୋଗ

ଆୟକର ବିଭାଗ ଟିମ ଲଗାତାର ଚତୁର୍ଥ ଦିନ ଅଭିନେତା ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟ ସମେତ ୨୮ଟି ସ୍ଥାନରେ ଚଢ଼ଉ କରିଛି। ଖବର ଅନୁଯାୟୀ, ଆୟକର ବିଭାଗର ଚଢ଼ଉ ବେଳେ ଟ୍ୟାକ୍ସରେ ବଡ ହେରଫେର ହୋଇଥିବା ପ୍ରମାଣ ମିଳିଛି। ଆୟକର ବିଭାଗ ଟିମ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁରୁଗ୍ରାମରେ ରହିଥିବା ସୋନୁଙ୍କ କାର୍ଯ୍ୟାଳୟ ଓ ଘରେ ଏକାସାଙ୍ଗେ ଚଢ଼ଉ କରିଛି। ଆୟକର ବିଭାଗ ଯାଞ୍ଚ ବେଳେ ଟିମକୁ ପ୍ରାୟ ୨୦ କୋଟି ଟ୍ୟାକ୍ସ ହେରଫେର ହୋଇଥିବା ଜଣାପଡିଛି। ଏହାସହ ସର୍ଚ୍ଚ ବେଳେ ଆୟକର ବିଭାଗ ଟିମ ନଗଦ ୧ କୋଟି ୮ ଲକ୍ଷ ଟଙ୍କା ଜବତ କରିଛି ଏବଂ ୧୧ଟି ଲକର ବିଷୟରେ ସୂଚନା ପାଇଛି। ଆୟକର ବିଭାଗ ଟିମ ସୋନୁ ସୁଦଙ୍କ ଚ୍ୟାରିଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଛି। ଏଥିରୁ ଅଭିନେତା ନିଜ ରୋଜଗାରକୁ ନକଲି କମ୍ପାନୀ ଜରିଆରେ ରୁଟ କରିଥିବାର ଜଣାପଡ଼ିଛି। ଏବେ ଯାଏଁ ଯାଞ୍ଚରେ ଟିମକୁ ୨୦ଟି ନକଲି ଏଣ୍ଟ୍ରି ସମ୍ପର୍କରେ ଜଣାପଡିଛି। ୨୦୨୦ ଜୁଲାଇ ୨୧ ତାରିଖରୁ ଏବେ ସୁଦ୍ଧା ସୋନୁ ସୁଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚ୍ୟାରିଟି ଫାଉଣ୍ଡେସନ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବେ ଏକତ୍ର କରିଛି ଯେଉଁଥିରେ ୧.୯ କୋଟି ଟଙ୍କା ରିଲିଫ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ଏବଂ ୧୭ କୋଟି ଟଙ୍କା ଏବେ ବି ଅଛି। ଯାଞ୍ଚ ବେଳେ ଜଣାପଡିଛି ଯେ FCRA ଉଲ୍ଲଙ୍ଘନ କରି ସୋନୁ ସୁଦଙ୍କ ଏହି ଚ୍ୟାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରାଯାଇଛି।