କରୋନା ସଂକଟର ସଫଳ ମୁକାବିଲା ପାଇଁ ଭାରତକୁ ସହଯୋଗ କରିବ ଆମେରିକା...

କରୋନା ସଂକଟର ସଫଳ ମୁକାବିଲା ପାଇଁ ଭାରତକୁ ସହଯୋଗ କରିବ ଆମେରିକା...

ଭାରତରେ କରୋନା ସଂକଟ ବିକଟାଳ ରୂପ ଧରିଲାଣି । ଚାରିଆଡ଼େ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଦେଶର ସୀମିତ ଚିକିତ୍ସା ସମ୍ୱଳ ଆଉ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଉଛି । ଏଭଳି ସ୍ଥିତରୁ ଭାରତକୁ ମୁକୁଳାଇବା ପାଇଁ ଏହାର ପ୍ରମୁଖ ବନ୍ଧୁ ଆମେରିକା ସହଯୋଗର ହାତ ବଢାଇବ । ଏ ସଂକ୍ରାନ୍ତରେ ଭାରତୀୟ ବଂଶୋଦ୍ଭବ ମହିଳା ତଥା ଆମେରିକାର ଉପ-ରାଷ୍ଟ୍ରପତି କମଳା ହ୍ୟାରିସ କହିଛନ୍ତି ଯେ, ଭାରତରେ କରୋନା ଭାଇରସ ମହାମାରୀ ଚିନ୍ତା ବଢାଉଛି । ମୃତ୍ୟୁ ସଂଖ୍ୟା ଗ୍ରାଫ୍ ଉଦ୍‌ବେଗଜନକ ଭାବରେ ଉପରମୁହାଁ ହେଇଚାଲିଛି । ଭାରତର ଏଭଳି ସଂକକଟଜନକ ସ୍ଥିତିରେ ସାହାଯ୍ୟ କରିବା ଆମେରିକାର ପରମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି । ଏଥିସହିତ ଜୋ ବାଇଡେନ୍‌ ପ୍ରଶାସନ ଭାରତକୁ ସହାୟତା ପ୍ରଦାନ କରିବା ଲାଗି କାର୍ଯ୍ୟ ଜାରି ରଖିଛନ୍ତି । ଯେତେବେଳେ କରୋନା ସଂକଟ ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା, ସେତେବେଳେ ଭାରତ ଏହାର ପ୍ରକୃତ ବନ୍ଧୁ ସାଜି  ବିଭିନ୍ନ ଅତ୍ୟାବଶ୍ୟକ ମେଡ଼ିକାଲ ସାମଗ୍ରୀ ପଠାଇଥିଲା । ଆଜି ଭାରତର ସମାନ ସ୍ଥିତି ଥିବାର ଆମେରିକା ସାହାଯ୍ୟ କରିବାରେ ଆଦୌ ହେଳା କରିବ ନାହିଁ । ଏକ ସାମ୍ୱାଦିକ କାର୍ଯ୍ୟକ୍ରମରେ ଯୋଗଦେଇ କମଳା ହ୍ୟାରିସ କହିଛନ୍ତି ଯେ, ଭାରତର ବନ୍ଧୁ ରାଷ୍ଟ୍ର ଭାବେ ତଥା ଏସିଆନ କ୍ୱାଡର ସଦସ୍ୟ ଭାବେ ଆମେ ଭାରତକୁ ୨୦ ହଜାର ରେମଡେସିଭିର, ୧୫୦୦ ଅକ୍ସିଜେନ ସିଲିଣ୍ଡର ଏବଂ ୧୦ ଲକ୍ଷ ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ ପ୍ରଦାନ କରିସାରିଛୁ । କରୋନା ସଂକଟରୁ ମୁକୁଳିବା ପର୍ଯ୍ୟନ୍ତ ଆମେ ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବୁ ବୋଲି ପ୍ରକାଶ କରିଛନ୍ତି କମଳା ହ୍ୟାରିସ୍‌ ।