ଇ-ଭେଇକିଲ ନୀତି ୨୦୨୧ର ବିଜ୍ଞପ୍ତି ପ୍ରକାଶ; ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ମିଳିବ ସବସିଡି

ଇ-ଭେଇକିଲ ନୀତି ୨୦୨୧ର ବିଜ୍ଞପ୍ତି ପ୍ରକାଶ; ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ମିଳିବ ସବସିଡି
hindustantimes

ପ୍ରକାଶ ପାଇଲା ଇ-ଭେଇକିଲ ନୀତି ୨୦୨୧ର ବିଜ୍ଞପ୍ତି । ରାଜ୍ୟରେ ଇ-ଭେଇକିଲ ନୀତିକୁ ନେଇ ରାଜ୍ୟ ପରିବହନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ୍ । ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ବ୍ୟାଟେରୀ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସେଥିପାଇଁ ଗ୍ରାହକ ଓ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ କରିବା ଲାଗି ସରକାର ଯୋଜନା କରୁଛନ୍ତି ।

ଇ-ଭେଇକିଲ ନୀତି ୨୦୨୧ ଅନୁସାରେ, ୨ ଚକିଆ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ଗ୍ରାହକଙ୍କୁ ୫ ହଜାର ଟଙ୍କାର ସବସିଡି ମିଳିବ । ସେହିପରି ୩ ଚକିଆ ଯାନ କିଣିଲେ ୧୦ ହଜାର ଓ ୪ ଚକିଆ କିଣିଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ନନ୍-ଏସି ବସ୍ କିଣିଲେ ୨ ଲକ୍ଷ ଓ ଏସି ଡିଲକ୍ସ ବସ୍ କିଣିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର ।

ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ । ଏହାସହ ଇ-ଯାନ ଲାଗି ପଞ୍ଜିକରଣ ଫି ଓ ରୋଡ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ୨୦ ହଜାର ଚାର୍ଜିଂ ପ୍ରତିଷ୍ଠା ଲାଗି ୫ ହଜାର ଲେଖାଏଁ ଅନୁଦାନ ଦିଆଯିବ । ଇ-ଯାନ ନିର୍ମାତାଙ୍କୁ ଶତ ପ୍ରତିଶତ ରାଜ୍ୟ GST ଛାଡ କରିବେ ସରକାର । ସବୁ ଅଂଶୀଦାରଙ୍କ ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି ।