ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରସଙ୍ଗ: ୨ ରେ ଶୁଣାଣି

ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରସଙ୍ଗ: ୨ ରେ ଶୁଣାଣି

ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ଦୁର୍ନୀତି ମାମଲାର ଶୁଣାଣି । ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନଭେମ୍ବର ୨ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଥିବାବେଳେ ନଭେମ୍ବର୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ, ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରେ ଯୁକ୍ତି ବାଢିଥିଲେ ଵରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ସାବିକରେ ଏହି ସମ୍ପତ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଥିବାବେଳେ ହାଲ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର । ୧୯୫୫ ମସିହାରେ ଶ୍ରୀମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ । ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ହାଇକୋର୍ଟଙ୍କ ବିଚାରଧୀନ ରହିଛି । ଆସନ୍ତା ୨ ତାରିଖରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।