ଭୁବନେଶ୍ୱର : ଏଣିକି ବର୍ଷକୁ ଦୁଇ ଥର ହେବ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା । ଏହି ପ୍ରସ୍ତାବକୁ ସିବିଏସଇ ବୋର୍ଡ ଅନୁମୋଦନ କରିଛି । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବାକୁ ବର୍ଷକୁ ହେବ ୨ଟି ବୋର୍ଡ ପରୀକ୍ଷା । ଏହି ପରିବର୍ତ୍ତନ ୨୦୨୬ରୁ କାର୍ଯ୍ୟକାରୀ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛି । ବୋର୍ଡର ସଦ୍ୟତମ ନିଷ୍ପତ୍ତି ଅନୁଯାୟୀ ୨୦୨୬ରୁ CBSE ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ । ଯାହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଅତିରିକ୍ତ ସୁଯୋଗ ଦେବ । ନୂତନ ଅନୁମୋଦିତ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ଏବଂ ମାର୍ଚ୍ଚ ମଧ୍ୟରେ ହେବ, ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ମାସରେ ସ୍ଥିର କରାଯାଇଛି । ଉଭୟ ପରୀକ୍ଷା ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ କଭର କରିବ, ଯାହା ଛାତ୍ରଛାତ୍ରୀଙ୍କ ଜ୍ଞାନ ଏବଂ ଦକ୍ଷତାର ଏକ ବ୍ୟାପକ ମୂଲ୍ୟାଙ୍କନ ସୁନିଶ୍ଚିତ କରିବ ।ସେହିପରି ଆସନ୍ତାବର୍ଷଠାରୁ ନବମ ଶ୍ରେଣୀରୁ ଦୁଇଟି ଲେଭେଲରେ ବିଜ୍ଞାନ ଓ ସମାଜ ବିଜ୍ଞାନ ପାଠ୍ୟକ୍ରମ ଉପଲବ୍ଧ କରାଇବ ସିବିଏସଇ । ସିବିଏସଇ ଗଭର୍ଣ୍ଣି ବଡି ଏହି ନୂଆ ପାଠ୍ୟକ୍ରମକୁ ଅନୁମୋଦନ ଦେଇଛି । ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂ ଏହି ସୂଚନା ଦେଇଛନ୍ତି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ପାଠ୍ୟ ଖସଡା ପ୍ରସ୍ତୁତ ହେବ। ବିଜ୍ଞାନ ଓ ସମାଜ ବିଜ୍ଞାନ ପାଇଁ ଦୁଇଟି ଲେଭେଲ ରହିବ । ଗୋଟିଏ ଷ୍ଟାଣ୍ଡାର୍ଡ ଓ ଅନ୍ୟଟି ଆଡଭାନ୍ସଡ । ଏହି ଦୁଇଟି ବିକଳ୍ପରୁ କେଉଁଟିକୁ ବାଛିବେ ତାହା ସମ୍ପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରିବ ।୨୦୨୮ରେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦୁଇଟି ବିଷୟରେ ଦୁଇ ପ୍ରକାରର ପ୍ରଶ୍ନପତ୍ର ଉପଲବ୍ଧ ହେବ । ଆଡଭାନସଡ ବିକଳ୍ପ ବାଛିଥିବା ପିଲାଙ୍କ ପାଇଁ ଅଧିକ ସଂଖ୍ୟକ ପ୍ରଶ୍ନ ରହିବା ସହିତ କ୍ଲିଷ୍ଟ ପ୍ରଶ୍ନ ରହିବ । ବର୍ତ୍ତମାନ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ଲେଭେଲ ଉପଲବ୍ଧ ରହିଛି। ଏବେ ବିଜ୍ଞାନ ଓ ସମାଜ ବିଜ୍ଞାନରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିକଳ୍ପ ରହିବ ।