ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା, ଇ-ପାସ ବିନା ଠାକୁର ଦର୍ଶନ ମନା

ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା, ଇ-ପାସ ବିନା ଠାକୁର ଦର୍ଶନ ମନା

ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କରୋନା ଯୋଗୁଁ ଦୀର୍ଘ ସମୟ ଧରି ସ୍ଥଗିତ ଥିବା ଚାରିଧାମ ଯାତ୍ରା ଆଜିଠୁ ଅର୍ଥାତ୍‌ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ପକ୍ଷରୁ ଏହା ଉପରୁ ଲାଗୁ ହୋଇଥିବା କଟକଣା ଗୁରୁବାର ହଟାଯାଇଥିଲା। ଏହାପରେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଚାରିଧାମ ଯାତ୍ରା ନେଇ ଏସ୍‌ଓପି ଜାରି ହୋଇଛି। ଯାତ୍ରା ବେଳେ କୋଭିଡ-୧୯ର ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି।ତେବେ ଚାରିଧାମ ଯାତ୍ରା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଇ-ପାସ୍‌ ଦରକାର ପଡିବ। ବିନା ଇ-ପାସରେ କେହି ଠାକୁର ଦର୍ଶନ କରିପାରବେ ନାହିଁ। ଏହାସହ କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଧାମର ​​ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ପଞ୍ଜୀକରଣ ପରେ ଇ-ପାସ୍ ପ୍ରଦାନ କରାଯିବ। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ମାର୍ଟ ସିଟି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ଏଥିସହ କରୋନା ଟିକାର ଦୁଇଟି ଡୋଜ୍‌ ନେବାର ୧୫ ଦିନ ପରେ ପ୍ରମାଣ ପତ୍ର ଦେଖାଇଲେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ। କିନ୍ତୁ କେରଳ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଯାତ୍ରୀଙ୍କୁ କରୋନା ଟିକାର ଦୁଇଟି ଡୋଜ୍‌ ନେବାର ୭୨ ଘଣ୍ଟା ପରେ ଆର୍‌ଟି-ପସିଆର୍‌ ଟେଷ୍ଟ କରିବାକୁ ପଡିବ। ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌ରେ କୁହାଯାଇଛି। ଅନ୍ୟପକ୍ଷେ ଭକ୍ତଙ୍କ ସଂଖ୍ୟାକୁ ସୀମିତ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିବା ବେଳେ ବଦ୍ରିନାଥରେ ସର୍ବାଧିକ ୧୦୦୦, କେଦାରନାଥରେ ୮୦୦, ଗାଙ୍ଗୋତ୍ରିରେ ୬୦୦ ଏବଂ ଯମୁନୋତ୍ରିରେ ୪୦୦ ଭକ୍ତଙ୍କ ଦର୍ଶନ ପାଇଁ ସ୍ଥିର କରାଯାଇଛି। ଛୋଟ ପିଲା, ଅସୁସ୍ଥ ବ୍ୟକ୍ତି ଏବଂ ଅଧିକ ବୟସ୍କ ଲୋକଙ୍କୁ ଯାତ୍ରା କରିବାକୁ ମନା ହୋଇଛି। ସେହିପରି ଦର୍ଶନ ପାଇଁ ଏକ ସମୟରେ କେବଳ ତିନିଜଣ ଭକ୍ତ ମନ୍ଦିରରେ ଭିତରେ ପ୍ରବେଶ କରିପାରିବେ। ମନ୍ଦିରରେ ପ୍ରତିମା କିମ୍ବା ଘଣ୍ଟି ଛୁଇଁବା ନିଷେଧ।