ଛୋଟା ରାଜନ୍‌ ମୃତ୍ୟୁ ଖବର ନେଇ ଏଭଳି ପ୍ରତିକ୍ରିୟା ରଖିଲା ଏମ୍ସ...

ଛୋଟା ରାଜନ୍‌ ମୃତ୍ୟୁ ଖବର ନେଇ ଏଭଳି ପ୍ରତିକ୍ରିୟା ରଖିଲା ଏମ୍ସ...

କରୋନା ସଂକ୍ରମଣରେ ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ର ମୃତ୍ୟୁ ହୋଇଥିବା ଖବର କେତେକ ପ୍ରମୁଖ ଗଣମାଧ୍ୟମରେ ଇତିମଧ୍ୟରେ ପ୍ରକାଶିତ ହୋଇଥିଲା । ଏହାପରେ ଦେଶତମାମ୍‌ ଏହି ଖବରର ସତ୍ୟାସତ୍ୟକୁ ନେଇ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥିଲା । ଏହାର ଗୁରୁତ୍ତ୍ୱକୁ ଉପଲବ୍ଧି କରି ଦିଲ୍ଲୀ ଏମ୍ସ ପକ୍ଷରୁ ନ୍ୟୁଜ ଏଜେନ୍ସି ଏଏନଆଇ କୁ କୁହାଯାଇଛି ଯେ, ଛୋଟା ରାଜନ୍‌ ଜୀବିତ ଅଛି ଓ ତାର ଚିକିତ୍ସା ଚାଲିଛି । ଛୋଟା ରାଜନ୍‌ର ମୃତ୍ୟୁ ଖବର କପୋଳକଳ୍ପିତ ଓ ଏକ ଗୁଜବ । ଖବର ମୁତାବକ, ୬୨ ବର୍ଷୀୟ ଛୋଟା ରାଜନ୍‌ କରୋନା ସଂକ୍ରମିତ ହେବାପରେ ଏପ୍ରିଲ ମାସ ୨୫ତାରିଖରେ ତିହାର ଜେଲରୁ ଚିକିତ୍ସା ନିମନ୍ତେ ଏମ୍ସକୁ ସିଫ୍ଟ କରାଯାଇଥିଲା ।  ଏଠାରେ ଜାଣିବା ବିଧେୟ ଯେ, ଛୋଟା ରାଜନ୍‌ ନାମରେ ଦୁଇ ଡଜନରୁ ଅଧିକ ଅପରାଧିକ ମାମଲା ରହିଛି । ଏଥିମଧ୍ୟରୁ ୪ଟି ମାମଲାରେ ତାକୁ କୋର୍ଟ ଦଣ୍ଡ ଦେଇସାରିଛନ୍ତି । ବରିଷ୍ଠ ସାମ୍ୱାଦିକ ଜ୍ୟୋତିର୍ମୟ ଦେ’ ଙ୍କ ହତ୍ୟା ମାମଲାରେ କୋର୍ଟ ଛୋଟା ରାଜନ୍‌କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ୧୯୯୩ରେ ହୋଇଥିବା ବହୁ ଚର୍ଚ୍ଚିତ ସିରିୟଲ ବମ୍‌ ବିସ୍ପୋରଣରେ ଛୋଟା ରାଜନ୍‌ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇସାରିଛି । ଛୋଟା ରାଜନ୍‌ ଓ ଦାଉଦ ଇବ୍ରାହିମ ଏକାସଙ୍ଗେ ଅପରାଧିକ କାର୍ଯ୍ୟକଳାପର ରୂପରେଖ ପ୍ରସ୍ତୁତ କରୁଥିଲେ । ମାତ୍ର, ଦାଉଦ ଭାରତ ବିରୋଧୀ ଶକ୍ତିମାନଙ୍କ ସହିତ ମିଶି ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ହେବା ପରେ ଛୋଟା ରାଜନ୍‌ ନିଜକୁ ତା’ଠାରୁ ଦୂରେଇ ଥିଲା । ପରବର୍ତ୍ତୀ ସମୟରେ ଦୁହେଁ ପରସ୍ପରର ପରମ ଶତ୍ରୁ ପାଲଟି ଯାଇଥିଲେ । ଏପରିକି ବ୍ୟାଙ୍କକ୍‌ ଠାରେ ଦାଉଦର ଗୁଣ୍ଡାମାନେ ଛୋଟା ରାଜନ୍‌ କୁ ଜୀବନରେ ମାରିଦେବାକୁ ଉଦ୍ୟମ କରି ଆକ୍ରମଣ କରିଥିଲେ ମଧ୍ୟ ସେଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲା ।