ବିଜେପୁରରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବା ସହ ୩୦୦ କୋଟି ଟଙ୍କାର ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିଜେପୁରରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବା ସହ ୩୦୦ କୋଟି ଟଙ୍କାର ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ବରଗଡ଼ ଗସ୍ତରେ ଯାଇ ବିଜେପୁରରୁ ଗଣ୍ଡପାଲି ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ ।ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବରଗଡ଼ ଜିଲ୍ଲା ପାଇଁ ୩୦୦ କୋଟି ଟଙ୍କାର ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ରେ ୭୧ଟି ସ୍କୁଲର ରୂପାନ୍ତର ହୋଇଛି । ସ୍ମାର୍ଟ ସ୍କୁଲ ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ନିଅ ପଡ଼ିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବରଗଡ଼ ହେଉଛି ମାଆ ଲକ୍ଷ୍ମୀଙ୍କ ପବିତ୍ର ଭୂମି, ଓଡ଼ିଶାର ଭାତ ହାଣ୍ଡି ।

ଚାଷୀଙ୍କ ଭଳି ବରଗଡ଼ର ବୁଣାକାର ମଧ୍ୟ ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ି ଉପହାର ଦେଇଛନ୍ତି । ବରଗଡ଼ର ଚାଷୀ ଓ ବୁଣାକାରଙ୍କ ଦକ୍ଷତାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ନେଇ ବରଗଡ଼ ଗର୍ବିତ । ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରିଥିବା ବେଳେ ୨ ହଜାର ୫ ଶହ କୋଟିର ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠାଜଳସେଚନ କାର୍ଯ୍ୟ ୨ ହଜାର ୯୦ କୋଟି ଟଙ୍କାରେ ଚାଲିଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ପାଣି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବାଣ୍ଟିବା ସହ କହିଛନ୍ତି, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।