ବହୁ ପ୍ରତୀକ୍ଷିତ ସୁଖଦ ଖବର: ବ୍ରିଟେନ୍‌ର ୯୦ବର୍ଷ ବୟସ୍କା ମହିଳା ମାର୍ଗାରେଟ୍‌ କେନନଙ୍କୁ ଦିଆଗଲା ପ୍ରଥମ କରୋନା ଟିକା...

ବହୁ ପ୍ରତୀକ୍ଷିତ ସୁଖଦ ଖବର: ବ୍ରିଟେନ୍‌ର ୯୦ବର୍ଷ ବୟସ୍କା ମହିଳା ମାର୍ଗାରେଟ୍‌ କେନନଙ୍କୁ ଦିଆଗଲା ପ୍ରଥମ କରୋନା ଟିକା...

ବ୍ରିଟେନର ୯୦ ବର୍ଷ ବୟସ୍କା ମାର୍ଗାରେଟ୍‌ କେନନ ଆଜି ଫାଇଜର କରୋନା ଟିକା ଗ୍ରହଣ କରିବାର ଛବି ସାରା ବିଶ୍ୱବାସୀଙ୍କ ପାଇଁ ଏକ ବହୁ ପ୍ରତୀକ୍ଷିତ ସୁଖଦ ଅନୁଭୂତି ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କରୋନା ଭାଇରସ୍‌ ବିରୋଧ ଲଢ଼େଇକୁ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବିବେଚନା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ବ୍ରିଟେନରେ ଆଜିଠାରୁ ଆରମ୍ଭ ହୋଇଛି ସାମୂହିକ ଟିକାକରଣ । ମାର୍ଗାରେଟ୍‌ କେନନ ଚାରି ପିଲାଙ୍କ ଜେଜେମା । ସେ ବିଗତ ୬୦ବର୍ଷ ଧରି କୋଭେନଟ୍ରିରେ ରହି ଆସୁଛନ୍ତି । ତାଙ୍କୁ କୋଭେନଟ୍ରି ୟୁନିଭର୍ସିଟି ହସ୍ପିଟାଲରେ ନର୍ସ ମେ ପାର୍ସନ୍ସ ସକାଳ ସାଢ଼େ ୬ଟା ସମୟରେ ଟିକା ଦେଇଥିବା ଜଣାପଡ଼ିଛି । ଏହି ଟିକାକରଣ ବାବଦରେ ମାର୍ଗାରେଟ୍‌ କେନନ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି ଯେ, କୋଭିଡ-୧୯ ଟିକା ଦିଆଯାଇଥିବା ପ୍ରଥମ ବ୍ୟକ୍ତି ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଏହା ହେଉଛି ଜନ୍ମଦିନର ତାଙ୍କୁ ସର୍ବୋତ୍ତମ ଉପହାର, କାରଣ ଏହାପରେ ନୂଆ ବର୍ଷରେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଇବାକୁ ସୁଯୋଗ ପାଇପାରିବେ ବୋଲି କହିଛନ୍ତି ମାର୍ଗାରେଟ୍‌ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ସ୍ୱାସ୍ଥ୍ୟ ସେବା କର୍ମକର୍ତ୍ତାଙ୍କୁ ଜେତିକି ଧନ୍ୟବାଦ ଦେଲେ ମଧ୍ୟ ତାହା କମ ହେବ କାରଣ ଏମାନେ ମୋର ବହୁତ ଯତ୍ନ ନେଇଛନ୍ତି । ଯେଉଁମାନେ ଟିକା ନେବାକୁ ଆଗ୍ରହୀ ସେମାନେ କୌଣସି ଭୟ ନକରି ଟିକା ନେବାକୁ ପରାମର୍ଶ ଦେଇଛନ୍ତି ମାର୍ଗାରେଟ୍‌ । ତାଙ୍କ ମତରେ ସେ ଯଦି ୯୦ ବର୍ଷ ବୟସରେ ଟିକା ନେଇପାରୁଛନ୍ତି, ତେବେ ଅନ୍ୟମାନେ କାହିଁକି ନେଇପାରିବେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମାର୍ଗାରେଟ୍‌ ।