Tuesday, March 3, 2026
33.9 C
Odisha

    ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼: ଖାଇବା ତେଲ ଦର ୨୦ ଟଙ୍କା ବଢ଼ିଲା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦେଶରେ ପାର୍ବଣ ଆରମ୍ଭ ହୋଇଯାଇଛି। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି। ଆମଦାନି ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି। ଶୁଳ୍କ ବୃଦ୍ଧି ଫଳରେ ଭୁବନେଶ୍ବରର ଖୁଚୁରା ବଜାରରେ ବିଭିନ୍ନ ପ୍ରକାର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି। ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବିଭିନ୍ନ ପ୍ରକାର ରିଫାଇନ ତେଲ ପୂର୍ବରୁ ଲିଟର ପିଛା ୧୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଭଳି ଉଚ୍ଚଦାମ୍‌ରେ ବିକ୍ରି ହେଉଛି। କେନ୍ଦ୍ର ସରକାର ୧୩ ତାରିଖରେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଇବା ସହିତ ତାହାକୁ ୧୪ ତାରିଖରୁ ଲାଗୁ ନେଇ ନି‌ର୍ଦ୍ଦେଶନାମା ଜାରି କରିଥିଲେ। ଏହାଦ୍ବାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୫.୫ ପ୍ରତିଶତ ପରିବର୍ତ୍ତେ ୨୭.୫ ପ୍ରତିଶତକୁ ବଢ଼ିଯାଇଛି। ସେହିଭଳି ରିଫାଇନ୍‌ ଖାଇବା ତେଲର ପ୍ରଭାବୀ ଆମଦାନି ଶୁଳ୍କ ୧୩.୭୫ ପ୍ରତିଶତ ପରିବର୍ତ୍ତେ ୩୫.୭୫ ପ୍ରତିଶତକୁ ବଢ଼ିଯାଇଛି। ଦେଶରେ ତୈଳବୀଜ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାର ଏହା କରିଛନ୍ତି ବୋଲି ସଫେଇ ଦେଇଥିଲେ ମଧ୍ୟ ଦେଶ ଭିତରେ ତୁରନ୍ତ ତେଲ ଦର ମହଙ୍ଗା ହୋଇଯାଇଛି।

    ସରକାରଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତିର ପ୍ରଭାବ ତୁରନ୍ତ ଅସାଧୁ ବ୍ୟବସାୟୀମାନେ ଗ୍ରାହକଙ୍କ ଉପରେ ଲଦିଦେଇଛନ୍ତି। ପୂର୍ବରୁ ମହଜୁଦ ଥିବା ତେଲ ଦରକୁ ମଧ୍ୟ ସେମାନେ ବଢ଼ାଇ ଦେଇଛନ୍ତି। ‌ଭୁବନେଶ୍ବରର ପାଇକାରୀ ବଜାରରେ ପୂର୍ବରୁ ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଦାମ୍‌ ଏବେ ୧୫୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ୧୧୦ରୁ ୧୧୧ ଟଙ୍କାରେ ବିକ୍ରି ହେଉଥିବା ସମୟରେ ଆଜି ଏହା ୧୨୨ ଟଙ୍କାରେ ବିକ୍ରି ହୋଇଛି। ପାମୋଲିନ ତେଲ ଦର ୯୦ରୁ ୯୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ଏହା ପାଇକାରୀ ବଜାରରେ ୧୦୭ ଟଙ୍କାରେ ବିକ୍ରି ହେଉଛି। ପାଇକାରୀ ବଜାରରେ ଦର ବଢ଼ିବା ପରେ ଖୁଚୁରା ବଜାରରେ ଏହାର ପ୍ରଭାବ ପଡ଼ିଛି। ଖୁଚୁରା ବ୍ୟବସାୟୀମାନେ ଲଗାମହୀନ ହୋଇ ମନଇଚ୍ଛା ଲାଭ ରଖିବା ସହିତ ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି।

    ୧୬୦ ଛୁଇଁଲାଣି ସୋରିଷ ତେଲ
    ୧୨୦ରୁ ୧୩୦ ଟଙ୍କାରେ ବିକ୍ରି ହେଉଛି ରିଫାଇନ

    ବି‌ଶେଷଜ୍ଞଙ୍କ କହିବାନୁଯାୟୀ, ୧୪ ତାରିଖରୁ ସୋୟାବିନ, ପାମୋଲିନ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନି ଉପରେ ଶୁଳ୍କ ବୃଦ୍ଧି କରାଗଲା। କିନ୍ତୁ ପୂର୍ବରୁ ଦେଶରେ ଯେଉଁ ତେଲ କମ୍ପାନି ଓ ବ୍ୟବସାୟୀଙ୍କ ନିକଟରେ ମହଜୁଦ ରହିଥିଲା ତାହାର ଦର କାହିଁକି ହଠାତ୍‌ ବଢ଼ିଗଲା? ସରକାର ତାଙ୍କ ଶୁଳ୍କ ବୃଦ୍ଧି ନିର୍ଦ୍ଦେଶନାମାରେ ଦେଶରେ ପୂର୍ବରୁ ମହଜୁଦ ଥିବା ତେଲ ଉପରେ ବ୍ୟବସାୟୀମାନେ ଦାମ୍‌ ବଢ଼ାଇ ପାରିବେ ନାହିଁ ବୋଲି କାହିଁକି ଉଲ୍ଲେଖ କରିଲେ ନାହିଁ?

    ବ୍ୟବସାୟୀମାନେ କେତେ ଦରରେ ତେଲ କିଣିଛନ୍ତି ଏବଂ କେତେ ଟଙ୍କା ଲାଭରେ ସେମାନେ ତାହାକୁ ବିକ୍ରି କରିପାରିବେ ତାହାର କୌଣସି ବ୍ୟବସ୍ଥା ନାହିଁ। ଯାହାଫଳରେ ଦରଦାମ ଉପରେ ନିୟନ୍ତ୍ରଣ ରହୁନାହିଁ। ତେଲ ଶୁଳ୍କବୃଦ୍ଧି ‌ଜନସ୍ବାର୍ଥ ବିରୋଧୀ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ମତ ଦେଇଛନ୍ତି। ସରକାର ଏହାର ପୁନଃବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    11 %
    3.6kmh
    6 %
    Tue
    35 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ