ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ପାଇଁ ମିଳିବ କୋଭିଡ ଟିକା

ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ପାଇଁ ମିଳିବ କୋଭିଡ ଟିକା
photo: deccanherald

ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା । ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ । ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି । ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ବ ଦିଆଯାଇଥିଲା । ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଉଦ୍ଦିଷ୍ଟ କୋଭାକ୍ସିନର ଫେଜ୍ ୨ ଓ ଫେଜ୍ ୩ ପ୍ରକ୍ରିୟା ଚାଲୁ ରହିଛି । ଖୁବଶୀଘ୍ର ଏନେଇ ସକାରାତ୍ମକ ଫଳ ମିଳିବ । ପରେ ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିଲେ ଟିକାଦାନ ଆରମ୍ଭ ହେବ ।

ସେହିପରି ଜାଇଡସ କାଡିଲା ଟିକାର ବି ଟ୍ରାଏଲ ଜାରି ରହିଛି । ଏହାକୁ ବି ଖୁବ୍ ଶୀଘ୍ର ଅନୁମତି ଦିଆଯାଇପାରେ । ଜାଇଡସ କାଡିଲା ଟିକା ହେଉଛି ପ୍ରଥମ ଡିଏନଏ ଟିକା, ଯାହାକି ବ୍ୟବହାର ଉପଯୋଗୀ ହେବ । ସେହିପରି ଜେନୋଭ ବାୟୋ ଫାର୍ମାସ୍ୟୁଟିକାଲର ଏମ୍. ଆରଏନଏ ଟିକା ବାୟୋଲୋଜିକାଲ-ଇ ଭ୍ୟାକ୍ସିନ, ସେରମ୍ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବି ଉପଲବ୍ଧ ହେବ । ଏହାସହ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଇଣ୍ଟରନାଜାଲ ଭାକ୍ସିନ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।