ବିଦ୍ୟୁତ୍ ଓ ନେଟୱର୍କ ସେବାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବିଦ୍ୟୁତ୍ ଓ ନେଟୱର୍କ ସେବାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ବିଦ୍ୟୁତ୍ ଓ ନେଟୱର୍କ ସେବାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦାରିଙ୍ଗବାଡି ୧୫/୦୫: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବିଦ୍ୟୁତ ବିଭାଗ ସବଷ୍ଟେସନ ଅଞ୍ଚଳରେ ଲଗାତାର ବିଦ୍ୟୁତ ବିଭ୍ରାଟ ଓ ଏକମାତ୍ର ଥିବା ବିଏସଏନଏଲ ଇଣ୍ଟରନେଟର ଘୋର ସମସ୍ୟା ଲାଗି ରହୁଛି। ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳୁନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ସମାଧାନ ନେଇ  ବ୍ରାହ୍ମଣୀଗାଁ ଯୁବ ଗୋଷ୍ଠୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୁନର୍ବାର ଏକ ଲିଖିତ ଅଭିଯୋଗ ବ୍ରାହ୍ମଣୀଗାଁ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି।

ଉକ୍ତ ସମସ୍ୟାକୁ ନେଇ ଆଞ୍ଚଳିକ ମହିଳା ସଂଗଠନ ଓ ଯୁବସଙ୍ଘ ପକ୍ଷରୁ ଏକ ଶାନ୍ତି ରାଲି ଶୋଭାଯାତ୍ରା ଆୟୋଜନ କରାଯାଇ ଥାନା ଅଧିକାରୀଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଜକୁ ଛଅ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଣୁ  ବ୍ରାହ୍ମଣୀଗାଁ ଯୁବ ସଂଗଠନ ପକ୍ଷରୁ ଆଜି ପୁନର୍ବାର ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ଉକ୍ତ ଦାବିପତ୍ରରେ ସବଷ୍ଟେସନରେ ପଡିରହିଥିବା ନୂତନ ଟ୍ରାନ୍ସଫର୍ମର ଗୁଡିକ ତୁରନ୍ତ କାର୍ଯ୍ୟରେ ଲଗାଇ ବାରମ୍ବାର ବିଦ୍ୟୁତ କାଟ୍ ଭଳି ସମସ୍ୟାର ସମାଧାନ କରିବା ଏବଂ ଇଣ୍ଟରନେଟ ସେବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଅର୍ଥାତ ୪-ଜି ସେବା ପ୍ରଦାନ ଓ  ଅନ୍ୟ ଏକ ନୂତନ ଟାୱାର ସ୍ଥାପନ କରିବା ପାଇଁ ଅଭିଯୋଗ କରାଯାଇଛି। ସାତ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଅଞ୍ଚଳ ଯୁବଗୋଷ୍ଠୀ ସମେତ ସର୍ବ ସାଧାରଣ ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି।