ବ୍ୟତିକ୍ରମ: ‘କରୋନା’ ଟିକା ନେଇ ‘କରୋନା’ ସଂକ୍ରମିତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ...

ବ୍ୟତିକ୍ରମ: ‘କରୋନା’ ଟିକା ନେଇ ‘କରୋନା’ ସଂକ୍ରମିତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ...

‘କରୋନା’ ଟିକା କୋଭାକ୍ସିନର ସଫଳତାକୁ ନେଇ ଆଶଙ୍କା ଦେଖାଦେଇଛି । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ ସଚେତନତା ସୃଷ୍ଟି ପାଇଁ କିଛିଦିନ ତଳେ ‘କରୋନା’ ଟିକା କୋଭାକ୍ସିନ୍‌ର ଗୋଟିଏ ଡୋଜ୍‌ ନେଇଥିଲେ ଏବଂ ଦେଶବାସୀଙ୍କୁ ‘କରୋନା’ ଟିକାକୁ ନେଇ କୌଣସି ପ୍ରକାର ନକରାତ୍ମକ ଭାବନା ମନ ଭିତରେ ନ ରଖି ସ୍ୱେଚ୍ଛାକୃତ ଭାବରେ ଟ୍ରାଏଲ୍‌ରେ ସାମିଲ୍‌ ହେବାକୁ ଯୁବକମାନଙ୍କ ଆଗେଇ ଆସିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ତେବେ ଟିକା ନେବାର କିଛିଦିନ ପରେ ଅପ୍ରତ୍ୟାଶିତ ଭାବରେ ଅନିଲ ଭିଜ୍‌ ‘କରୋନା’ ସଂକ୍ରମିତ ହୋଇଛନ୍ତି ବୋଲି ନିଜେ ଟ୍ୱିଟ୍‌ ମାଧ୍ୟମରେ ଜଣାଇଛନ୍ତି । ବର୍ତ୍ତମାନ ଅମ୍ୱାଲାର ସିଭିଲ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏଠାରେ ସୂଚନାଯୋଗ୍ୟ ଯେ, କୋଭାକ୍ସିନ୍‌ ଭାରତର ନିଜସ୍ୱ ତଥା ସ୍ୱଦେଶୀ ‘କରୋନା’ ଟିକା । ଏବେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‌ ଟ୍ରାଏଲ୍‌ ଜାରି ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ ଯଦି ‘କରୋନା’ ଟିକା ନେଇଥିବା ବ୍ୟକ୍ତି ‘କରୋନା’ ଆକ୍ରାନ୍ତ ହେଉଛନ୍ତି ତେବେ ପରୀକ୍ଷଣ ସଫଳ ହେବାର ସମ୍ଭାବନା ଢେର ଅଧିକ । କାରଣ ଏହି ଟିକା ‘କରୋନା’ ଆକ୍ରାନ୍ତଙ୍କ କ୍ଷେତ୍ରରେ କିଭଳି ପ୍ରଭାବ ବିସ୍ତାର କରୁଛି ତାହାର ସଫଳ ତର୍ଜମା କରାଯାଇପାରିବ । ଏଥିରୁ ନିଷ୍କର୍ଷ ବାହାରିଲା ପରେ ପରବର୍ତ୍ତୀ ସମୟରେ ଏହି ଟିକାର କାର୍ଯ୍ୟଦକ୍ଷତା ବୃଦ୍ଧି କରାଇବାକୁ ନେଇ ଆବଶ୍ୟକ ଡାକ୍ତରୀ ବିଦ୍ୟାର ମଧ୍ୟ ସଠିକ୍‌ ଉପଯୋଗ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।