ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ

ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ
ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ

ଖବର ଦେବାକୁ ଯାଇ ନିଜେ ଦୁଃଖଦ ଖବର ହୋଇଗଲେ । କଟକ ନରାଜର ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ସେହି ପାଣିରେ ବୁଡି ପ୍ରାଣ ହରାଇଲେ । ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଘଟିଛି ଅକାଳ ବିୟୋଗ । ଶୁକ୍ରବାର ଦିନ ମୁଣ୍ଡଳୀରେ ଏକ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅରିନ୍ଦମ୍ ପ୍ରାଣ ହରାଇଛନ୍ତି । ଅରିନ୍ଦମ୍‌ଙ୍କ ମୃତ୍ୟୁ ନେଇ କଟକ ବଡ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏ ନେଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଘଣ୍ଟା ଧରି ମୁଣ୍ଡଳୀ ନିକଟରେ ମହାନଦୀ ପାଣିରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍‌ର ବୋଟ୍‌ରେ ୫ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ୍ ଏବଂ କ୍ୟାମେରା ପର୍ସନ ମଧ୍ୟ ରହିଥିଲେ । ଗଜରାଜକୁ ଉଦ୍ଧାର କରିବାକୁ ନିକଟକୁ ଯିବାବେଳେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ ବୋଟ୍‌ରେ ଥିବା ୭ ଜଣ ଯାକ ନଦୀ ପାଣିରେ ବୁଡିଯାଇଥିଲେ । ବ୍ରିଜ୍ ଉପରେ ଥିବା ଅନ୍ୟ ଓଡ୍ରାଫ୍ କର୍ମଚାରୀ ବୁଡିଯାଇଥିବା ୩ ଜଣ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଓଟିଭିର କ୍ୟାମେରା ପର୍ସନଙ୍କୁ ମଧ୍ୟ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଥିଲେ । ତେବେ ଓଟିଭିର ରିପୋର୍ଟର ଅରିନ୍ଦମ୍ ଦାସ ଭାସିଯାଇଥିଲେ । କିଛି ଦୂରରେ ନଦୀ ପାଣିରେ ଭାସୁଥିବା ବେଳେ ଏକ ମାଛଧରା ଡଙ୍ଗା ତାଙ୍କ ନିକଟକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ରିପୋର୍ଟର ଅରିନ୍ଦମ୍ ଦାସଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ କର୍ମଚାରୀ ଏବେ ଚିକିତ୍ସାଧିନ ଅଛନ୍ତି । ଏବେବି ଓଡ୍ରାଫ୍ ଟିମ୍‌ର ଅନ୍ୟ ଜଣେ କର୍ମଚାରୀ ନିଖୋଜ ଅଛନ୍ତି ।