ଓଡ଼ିଶାରେ ଇ-ଶ୍ରମ ପୋର୍ଟାଲର ଡିମାଣ୍ଡ

ଓଡ଼ିଶାରେ ଇ-ଶ୍ରମ ପୋର୍ଟାଲର ଡିମାଣ୍ଡ

ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି । ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଗ୍ରେ ରହିଛି । ପୋର୍ଟାଲରେ ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଏହାକୁ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ । ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସହଜରେ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇପାରିବେ ।

ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବେ ।

ସଦ୍ୟତମ ତଥ୍ୟ ଅନୁଯାୟୀ, ୪.୦୯ କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୪୯.୯୮ ପ୍ରତିଶତ ହିତାଧିକାରୀ ପୁରୁଷ । ପ୍ରାୟତଃ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳାମାନେ ଏହି ଅଭିଯାନର ଅଂଶବିଶେଷ ହେବା ବିଶେଷ ଉତ୍ସାହଜନକ । ଲିଙ୍ଗ ଅନୁପାତରେ ସାପ୍ତାହିକ ପଞ୍ଜୀକରଣ ବୃଦ୍ଧି ପରିଲକ୍ଷିତ ହୋଇଛି । ପୁରୁଷ ଓ ମହିଳା ଶ୍ରମିକମାନେ ତୁଳନାତ୍ମକ ଭାବେ ପଞ୍ଜୀକରଣ କରୁଛନ୍ତି । ଏହି ପୋର୍ଟାଲରେ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି । ଏହାପଛକୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ପ୍ରମୁଖ ରହିଛନ୍ତି । ତେବେ ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ ମଧ୍ୟ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ଉତ୍ସାହଜନକ ରହିଛି । କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକମାନଙ୍କୁ ନିଯୁକ୍ତି ମିଳିଥାଏ । ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ଯ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ।

ପଞ୍ଜୀକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ରହିଛି । ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଜନସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ଅଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିଛନ୍ତି । କେରଳ, ଗୋଆ ଏବଂ କେତେକ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମେତ ଦାଦ୍ରା ଓ ନଗର ହାଭେଳୀ, ଆଣ୍ଡାମାନ ଓ ନିକୋବାର ଏବଂ ଲଦାଖ ଭଳି କେନ୍ଦ୍ର ଶାସିତ ପ୍ରଦେଶରେ ବହୁସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ପ୍ରତି ସପ୍ତାହରେ ସିଏସସି ମାଧ୍ୟମରେ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଉଛି । ଜନସେବା କେନ୍ଦ୍ର ଜରିଆରେ ସର୍ବାଧିକ ୭୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । କମ ସୁବିଧା ଥିବା ଅଞ୍ଚଳରେ ଜନସେବା କେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏଥିରୁ ପ୍ରମାଣିତ ହେଉଛି । ଜନସେବା କେନ୍ଦ୍ରଗୁଡ଼ିକ ଜରିଆରେ ଶ୍ରମିକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସି ପଞ୍ଜୀକରଣ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି । ଏହାଦ୍ବାରା ଉପାନ୍ତ ଅଞ୍ଚଳରେ ଥିବା ଶ୍ରମିକମାନେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ । ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ, ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ମନ୍ତ୍ରଣାଳୟ ସଚିବ ସୁନୀଲ ବର୍ଥଓ୍ବାଲଙ୍କ ସମେତ କେନ୍ଦ୍ରୀୟ ଶ୍ରମ ଆୟୋଗ, ଏବଂ ଅନ୍ୟ ଆଞ୍ଚଳିକ କାର୍ଯ୍ୟାଳୟର ଶ୍ରମ ଆୟୋଗର ଆୟୁକ୍ତ ଓ ଅଧିକାରୀମାନେ ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନଙ୍କ ସହ ଏନେଇ ଆଲୋଚନା କରୁଛନ୍ତି । ସେମାନଙ୍କୁ ଅଧିକ ସଂଖ୍ୟାରେ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଲାଗି ନିବେଦନ କରୁଛନ୍ତି ।

ଇ-ଶ୍ରମ ମୋବାଇଲ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଶ୍ରମିକମାନେ ନିଜେ ଅନଲାଇନରେ ପଞ୍ଜୀକରଣ କରିପାରିବେ । ସେମାନେ ମଧ୍ୟ ଜନ ସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମ ସୁବିଧା କେନ୍ଦ୍ର, ନିର୍ଦ୍ଦିଷ୍ଟ ଡାକ ଘରେ ଥିବା ଡାକ ବିଭାଗର ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ଏହି ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇପାରିବେ । ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏକ ଡିଜିଟାଲ ଇ-ଶ୍ରମ କାର୍ଡ ପାଇବେ । ସେମାନେ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ସେମାନଙ୍କର ପ୍ରୋଫାଇଲ ଅପଡେଟ୍ କରିପାରିବେ । ଇ-ଶ୍ରମ କାର୍ଡରେ ଗୋଟିଏ ଏକକ ପରିଚୟ ସଂଖ୍ୟା ମିଳିବ । ସାରା ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏହା ଗ୍ରହଣୀୟ ହେବ । ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ତାଙ୍କର ନିକଟ ସମ୍ପର୍କୀମାନେ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବେ । ଆଂଶିକ ଅକ୍ଷମତା କ୍ଷେତ୍ରରେ ଶ୍ରମିକମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ ।