ପୁଣି ଥରେ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଦାବିରେ ସଚିବଙ୍କୁ ଚିଠି

ପୁଣି ଥରେ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଦାବିରେ ସଚିବଙ୍କୁ ଚିଠି

ରାଜ୍ୟର ଘରୋଇ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦% ସିଟ ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଆଶାୟୀ ରହିଥିବା ବେଳେ ବଳକା ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ସୁଯୋଗ ଦେବା ନିମନ୍ତେ ଆଜି ପୁଣି ଥରେ ସ୍ବତନ୍ତ୍ର ଓଜେଇଇ ପାଇଁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ମହାବିଦ୍ୟାଳୟ ସଂଘ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଚିଠି ଲେଖି ଅନୁରୋଧ କରିଛି।ସଂଘର ସାଧାରଣ ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ , ଇଞ୍ଜିନିୟରିଂ ନାମଲେଖା ପ୍ରକ୍ରିୟାକୁ ସର୍ବୋଚ୍ଚ ନ୍ୟାୟାଳୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାରି ଭିତରେ ବିଭାଗ ସ୍ବତନ୍ତ୍ର ଓଜେଇଇ କରି ୩୧ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ରାଜ୍ୟରେ ୩ ଥର କାଉନସେଲିଂ କରାଯିବା ପରେ ମଧ୍ୟ ୬୦ ପ୍ରତିଶତ ଇଞ୍ଜିନିରିଙ୍ଗ୍ କଲେଜରେ ସିଟ ଖାଲି ପଡିଛି। ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଦେବାକୁ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସି ପାରି ନ ଥିଲେ। ଦ୍ବିତୀୟ ଲହର ପ୍ରଭାବ, ବନ୍ୟା ଏବଂ ବାତ୍ୟା ଯୋଗୁଁ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଆସି ପାରିଲେ ନାହିଁ। ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବା ପାଇଁ ପୁନର୍ବାର ସ୍ବତନ୍ତ୍ର ଓଜେଇଇ କରାଯାଉ ବୋଲି ସଂଘ ପକ୍ଷରୁ ଚିଠିରେ ଲେଖାଯାଇଛି।