ଦୁଷ୍ମନ୍ତ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ଦୁଇ ୱେବ ଚ୍ୟାନେଲ୍ ସାମ୍ବାଦିକ

ଦୁଷ୍ମନ୍ତ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ଦୁଇ ୱେବ ଚ୍ୟାନେଲ୍ ସାମ୍ବାଦିକ

କୁଜଙ୍ଗର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାର ତଦନ୍ତ ଏବେ ଜୋରଦାର ଚାଲିଛି। ସେ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦୁଇ ୱେବ ଚ୍ୟାନେଲ୍ ସାମ୍ବାଦିକଙ୍କ ସହ ଫୋନ୍‌ରେ ଯୋଗାଯୋଗ କରିଥିଲେ ବୋଲି ଜଣା ପଡିଛି। ଦୁଇ ସାମ୍ବାଦିକ ଅସିତ କୁମାର ରାଉତ ଏବଂ ଦୀପ୍ତି ଓରଫ ଦାମୋଦର ସେଠୀଙ୍କ ଫୋନ୍‌ରେ ସେ କଥାବାର୍ତ୍ତା ହୋଇଥିବା ମଙ୍ଗଳାବାଗ ଥାନା ପୁଲିସ ଜାଣିବା ପରେ ସେମାନଙ୍କୁ ଥାନାରେ ହାଜର ପାଇଁ ସମନ୍ ଜାରି କରିଥିଲା। ତେବେ ଆଜି ଉଭୟ ଥାନାରେ ହାଜର ହେବା ସହ ପୁଲିସ ତାଙ୍କୁ ଜେରା କରୁଥିବାର ସୂଚନା ମିଳିଛି। କେବଳ ମୃତ୍ୟୁ ପୂର୍ବରୁ ନୁହେଁ, ଗଲା କିଛି ଦିନ ହେବ ବି ଏମାନେ ଦୁଷ୍ମନ୍ତଙ୍କ ଯୋଗାଯୋଗରେ ଥିବାରୁ ପୁଲିସ ସ୍କାନରରେ ଏହି ଦୁଇ ଓ୍ବେବ୍ ସାମ୍ବାଦିକ ରହିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଦୁଷ୍ମନ୍ତଙ୍କ ସହିତ ସେମାନେ କ’ଣ କଥାବାର୍ତ୍ତା ହୋଇଥିଲେ, ପୁଲିସ ସେମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଏଠାରେ ସୂଚନା ଥାଉକି , ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳର ଦୁଷ୍ମନ୍ତ ଦାସ ବିଧାନସଭା ସାମ୍‌ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ପୁଲିସ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା। ଗଲା ୧୦ ତାରିଖରେ ଜଗତସିଂହପୁର ପୁଲିସ ମଙ୍ଗଳାବାଗ ଥାନାକୁ ମାମଲା ହସ୍ତାନ୍ତର କରିବାପରେ ମଙ୍ଗଳାବାଗ ଥାନା ପୁଲିସ ଏକ ମାମଲା ରୁଜୁ କରି ଗଲା ୧୧ ତାରିଖରୁ ବିଧିବଦ୍ଧ ଭାବେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ଖୋଳତାଡ଼ କରୁଛି।