ଦୂତି ଚାନ୍ଦଙ୍କ ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ମାମଲା : ଥାନାରେ ଅଟକ ଓ୍ବେବ୍ ଚ୍ୟାନେଲ ସାମ୍ବାଦିକ

ଦୂତି ଚାନ୍ଦଙ୍କ ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ମାମଲା : ଥାନାରେ ଅଟକ ଓ୍ବେବ୍ ଚ୍ୟାନେଲ ସାମ୍ବାଦିକ

ସୋସିଆଲ ମିଡିଆରେ ଦୂତି ଚାନ୍ଦଙ୍କ ବିରୋଧରେ ଅଶ୍ଲୀଳ ମନ୍ତବ୍ୟ ଦେବା  ଓ ବ୍ଲାକମେଲିଂ କରିବା ଅଭିଯୋଗ ମାମଲାରେ ଓ୍ବେବ୍ ଚ୍ୟାନେଲ ସାମ୍ବାଦିକ ସୁଧାଂଶୁ ଶେଖର ରାଉତଙ୍କୁ ଥାନାରେ ଅଟକ ରଖିଛି ପୋଲିସ  ।  ମହିଳା ଥାନାରେ ଅଟକ ଅଛନ୍ତି ସୁଧାଂଶୁ। ସୋସିଆଲ ମିଡିଆରେ ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ନେଇ ଗତ ୧ ତାରିଖରେ ଅଭିଯୋଗ କରିଥିଲେ ଦୂତି ଚାନ୍ଦ । ଘଟଣାରେ ୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ସୁଧାଂଶୁ ଶେଖର ରାଉତ, ପ୍ରଦୀପ ପ୍ରଧାନ, ସ୍ମୃତିରଞ୍ଜନ ବେହେରାଙ୍କ ନାଁରେ ଦୂତି  ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଦଫା ୨୯୨(୨), ୩୫୪(ଏ), ୩୮୫, ୫୦୬, ୫୦୯, ୧୨୦(ବି), ୬ରେ ମାମଲା ରୁଜୁ କରିଥିଲା  । ଟୋକିଓ ଅଲିମ୍ପିକ୍ସ ସମୟରେ ଦୂତି ନିଜ ଇଭେଣ୍ଟ ପାଇଁ ବ୍ୟସ୍ତ ଥିବାବେଳେ ସୋସିଆଲ ମିଡିଆ ଏବଂ ସଂପୃକ୍ତ ଓ୍ବେବ୍ ଚ୍ୟାନେଲ ତାଙ୍କ ପରିବାର ଓ ତାଙ୍କୁ ନେଇ ବହୁ ଆପତ୍ତିଜନକ ଖବର ପ୍ରକାଶ କରିଥିବା ବେଳେ  ତାକୁ ନେଇ ଦୂତି ମାନସିକ ଚାପରେ ଥିଲେ, ସେଥି ପାଇଁ  ତାଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦୂତି ଅଭିଯୋଗ କରିଥିଲେ । ସେ କହିଥିଲେ, ଯେଉଁ ସମୟରେ ମୁଁ ଅଲିମ୍ପିକ୍ସରେ ବିଶ୍ବସ୍ତରୀୟ କ୍ରୀଡ଼ାବିତଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲି, ସାମ୍ବାଦିକ ସୁଧାଂଶୁ ଓ ସୂଚନା ଅଧିକାର କର୍ମୀ ପ୍ରଦୀପ ସୋସିଆଲ ମିଡିଆରେ ମୋର ବ୍ୟକ୍ତିଗତ ଜୀବନ ନେଇ ବିଭିନ୍ନ ନକରାତ୍ମକ ଟିପ୍ପଣୀ ଦେଇ ଚାଲିଥିଲେ । ସେମାନେ ମୋ ସହ ମୋର ପୃଷ୍ଠପୋଷକ ଓ ମୋ କୋଚ୍ ଙ୍କୁ ମଧ୍ୟ ବଦନାମ କରିବାକୁ ପ୍ରୟାସ କରିଥିଲେ । ବାରମ୍ବାର ଫୋନ୍ କରି ମୋତେ ଟୋକିଓରେ ବ୍ୟତିବ୍ୟସ୍ତ କରିପକାଉଥିଲେ । ସେହି ଲୋକଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଛି । ତା’ଛଡା ମିଥ୍ୟା ଓ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ବଦନାମ କରିଥିବା ଲୋକଙ୍କ ବିରୋଧରେ ଦୂତି ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ଭୁବନେଶ୍ବର ସିଭିଲ କୋର୍ଟରେ ଦାୟର କରିଛନ୍ତି ।