ଏସସିବିରେ ଆରମ୍ଭ ହେଲା ଏକମୋ ଚିକିତ୍ସା

ଏସସିବିରେ ଆରମ୍ଭ ହେଲା ଏକମୋ ଚିକିତ୍ସା
photo:medicaldialogues

ଏସସିବି ବଡ଼ ମେଡିକାଲ କାର୍ଡ଼ିଓଥୋରାସିସ ବିଭାଗ ଅଧୀନରେ ଥିବା ଏକମୋ ୟୁନିଟରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଏକମୋ ଚିକିତ୍ସା । ଗତକାଲି ଏସସିବି କୋଭିଡ ଆଇସିୟୁରେ ଅତି ସଂକଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ନିଶ୍ଚିତକୋଇଲିର ଅନ୍ନପୁର୍ଣ୍ଣା ନାୟକଙ୍କୁ ଏକମୋ ୟୁନିଟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ବର୍ତ୍ତମାନ ମହିଳା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ କାର୍ଡ଼ିଓଥୋରାସିସ୍ ବିଭାଗରେ ତାଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି ଏବଂ ସ୍ୱତନ୍ତ୍ର ଡାକ୍ତରୀ ଟିମର ନିରୀକ୍ଷଣରେ ଚାଲିଛି ତାଙ୍କର ଚିକିତ୍ସା ବୋଲି ମେଡିକାଲ ପକ୍ଷରୁ ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ତାଙ୍କ ପୁଅ ଆଣିଛନ୍ତି ଅଭିଯୋଗ । ଇକମୋର ସମସ୍ତ ଚିକିତ୍ସା ସେବା ମାଗଣାରେ ରହିଥିଲେ ସୁଦ୍ଧା ଔଷଧ ପାଇଁ ନାକେଦମ୍ ହେବାକୁ ପଡ଼ୁଛି ବୋଲି ଅସନ୍ତୋଷ ଜାହିର କରିଛନ୍ତି ମହିଳା ରୋଗୀଙ୍କ ପୁଅ। ଇକମୋ ୟୁନିଟରେ ଜଣେ ବି ଆଟେଣ୍ଡାଣ୍ଟ ଦିଆଯାଇ ନଥିବାରୁ ପ୍ରତି ୫ ମିନିଟରୁ ୧୦ମିନିଟରେ ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ଆଣିବା ପାଇଁ ତାଙ୍କୁ ବାରମ୍ବାର ଦୌଡିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣାଙ୍କ ପୁଅ । ଯଦି ଏଭଳି ସ୍ଥିତି ଲାଗି ରହେ ତାହାହେଲେ ସେ ତାଙ୍କ ମା’ଙ୍କ ଚିକିତ୍ସାକୁ ଅଧାରେ ରଖି ଭଗବାନଙ୍କ ଭରସାରେ ଘରକୁ ନେଇଯିବେ ବୋଲି ବିରକ୍ତି ପ୍ରକାଶ କରି କହିଛନ୍ତି ଅନ୍ନପୂର୍ଣ୍ଣାଙ୍କ ପୁଅ ବିଭୂତି ।