ରାଜଧାନୀରେ ଅକ୍ସିଜେନ ଅଭାବ ନାହିଁ: କେଜରିଓ୍ୱାଲ

ରାଜଧାନୀରେ ଅକ୍ସିଜେନ ଅଭାବ ନାହିଁ: କେଜରିଓ୍ୱାଲ

ଦିଲ୍ଲୀରେ ଅକ୍ସିଜେନ ସମସ୍ୟା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ଏକ ସୁଖଦ ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ରାଜଧାନୀ ଦିଲ୍ଲୀରେ ଆଗଭଳି ଆଉ ଅକ୍ସିଜେନ ସମସ୍ୟା ନାହିଁ । ରାଜଧାନୀବାସୀଙ୍କ ଲାଗି ଯଥେଷ୍ଟ ଅକ୍ସିଜେନ ମହଜୁଦ ଅଛି । ଅଧିକନ୍ତୁ ପୂରା ସହରକୁ ୩ ମାସ ମଧ୍ୟରେ ଟିକାକରଣ କରିବାକୁ ଯୋଜନା କରାଯାଇଥିବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ । କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ବୈଠକରେ ହୋଇଥିବା ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଏହିଭଳି ଘୋଷଣା କରିଛନ୍ତି କେଜରିଓ୍ୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଆମକୁ ଯଥେଷ୍ଟ ଅକ୍ସିଜେନ ବେଡ୍‌ ପ୍ରସ୍ତୁତ ରଖିବା ଦରକାର । ଯଦ୍ୱାରା କରୋନାଜନିତ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲଗାଯାଇପାରିବ । ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା ।  ସମ୍ଭବତଃ ୩ୟ ଲହରରୁ ରାଜଧାନୀବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବାର ଚର୍ଚ୍ଚା ଜୋର୍‌ ଧରିଛି ।