EPFOର ବଡ ନିଷ୍ପତ୍ତି ; କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ନୋମିନିଙ୍କୁ ମିଳିବ ଦୁଇଗୁଣ ରାଶି

EPFOର ବଡ ନିଷ୍ପତ୍ତି ; କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ନୋମିନିଙ୍କୁ ମିଳିବ ଦୁଇଗୁଣ ରାଶି

କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ (EPFO) ନିଜ କର୍ମଚାରୀ ଓ ତାଙ୍କ ଉପରେ ନିର୍ଭରଶୀଳଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି। ଇପିଏଫଓ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ସେମାନଙ୍କ ନୋମିନିଙ୍କୁ ଦୁଇଗୁଣ ରାଶି ଦିଆଯିବ। ସେଣ୍ଟ୍ରାଲ ବୋର୍ଡ ତରଫରୁ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ଏକ୍ସ ଗ୍ରେସିଆ ଡେଥ ରିଲିଫ ଫଣ୍ଡ ଦିଆଯାଇଥାଏ।

ଏହାକୁ ନେଇ ଇପିଏଫଓ ବଡ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଦେଶରେ ଇପିଏଫଓର ପ୍ରାୟ ୩୦ ହଜାର କର୍ମଚାରୀ ଲାଭବାନ ହେବେ। ଏହି ନିଷ୍ପତ୍ତିକୁ ନେଇ ସଂଗଠନ ନିଜ କାର୍ଯ୍ୟାଳୟମାନଙ୍କରେ ସର୍କୁଲାର ମଧ୍ୟ ଜାରି କରିଛି।

ରିପୋର୍ଟ ଅନୁସାରେ, ସର୍କୁଲାରରେ ଇପିଏଫଓ ସ୍ପଷ୍ଟ କରିଛି ଯେ ନୋମିନିଙ୍କୁ ମିଳିବାକୁଥିବା ରାଶି ତାଙ୍କ ପରିବାରକୁ ଦିଆଯିବ ନାହିଁ ଯେଉଁମାନଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଛି। ଏବେ ଆକସ୍ମିକ ମୃତ୍ୟୁ ଯୋଗୁଁ ମିଳୁଥିବା ରାଶି ବଢି ୮ ଲକ୍ଷ ଟଙ୍କା ହୋଇଛି। ଏହି ପାଣ୍ଠି ଅନୁଯାୟୀ, ପ୍ରଥମେ କର୍ମଚାରୀଙ୍କ ନୋମିନିଙ୍କୁ ୪ ଲକ୍ଷ ଟଙ୍କା ଦିଆଯାଉଥିଲା। ଏହି ରାଶି ବର୍ତ୍ତମାନ ଦୁଇଗୁଣ ବୃଦ୍ଧ ପାଇଛି।

ଏଥି ସହିତ ଆଉ ଏକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ପ୍ରତି ୩ ବର୍ଷରେ ଏହି ରାଶି ୧୦ ପ୍ରତିଶତ ବଢାଇବାକୁ ଚେଷ୍ଟା କରାଯିବ। EPFO ସଦସ୍ୟ ଦାବି କରିଥିଲେ ଯେ ଅତିକମରେ ୧୦ ଲକ୍ଷ ଓ ସର୍ବାଧିକ ୨୦ ଲକ୍ଷ ଟଙ୍କା ଦିଆଯାଉ।

ଇପିଏଫଓ ସର୍କୁଲାର ଅନୁଯାୟୀ, ଯଦି କର୍ମଚାରୀଙ୍କ ମୃତ୍ୟୁ ଅଣକୋଭିଡରେ ହୁଏ ତାହେଲେ ପରିବାର କିମ୍ବା ନୋମିନିଙ୍କୁ ୮ ଲକ୍ଷ ଟଙ୍କା ମିଳିବ। ସାରା ଦେଶର ଇପିଏଫଓ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏହି ରାଶି କଲ୍ୟାଣ ପାଣ୍ଠିରୁ ଦିଆଯିବ। ଯଦି କର୍ମଚାରୀଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥାଏ ତାହେଲେ ୨୦୨୦ ଏପ୍ରିଲ ୨୮ ଅର୍ଡର ଲାଗୁ ହେବ।