Sunday, March 22, 2026
20.3 C
Odisha

    କରୋନା ଭଳି ମହାମାରୀ ହୋଇପାରେ ଏମ୍‌ପକ୍ସ: ୧୩ ଦେଶରେ ୧୪ ହଜାର ମାମଲା, ୫୪୨ ମୃତ୍ୟୁ

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ଏବେ ବିଶ୍ବର ୧୩ଟି ରାଷ୍ଟ୍ରରେ ଏମ୍‌ପକ୍ସ (ପୂର୍ବରୁ ମଙ୍କିପକ୍ସ ନାମରେ ପରିଚିତ) ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ନିକଟରେ ଏମ୍‌ପକ୍ସକୁ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବା ସହ ସମସ୍ତ ରାଷ୍ଟ୍ର ଏ ଦିଗରେ ଯଥୋଚିତ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି। ଆଫ୍ରିକୀୟ ଦେଶମାନଙ୍କରେ ଏମ୍‌ପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଫ୍ରିକାର ୧୩ଟି ଦେଶରେ ୧୪,୦୦୦ ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ୫୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଏହା ୟୁରୋପ ଓ ଏସିଆକୁ ମଧ୍ୟ ଏହା ବ୍ୟାପିଯାଇଛି। ସ୍ବିଡେନ ପରେ ଏବେ ପାକିସ୍ତାନରେ ଏମ୍‌ପକ୍ସର ୩ଟି ମାମଲା ଚିହ୍ନଟ ହୋଇଥିବାରୁ ଏସିଆର ବିଭିନ୍ନ ରାଷ୍ଟ୍ର ସତର୍କତା ବଢ଼ାଇଛନ୍ତି। ଚୀନ୍‌ ବିଦେଶଫେରନ୍ତା ଯାତ୍ରୀଙ୍କ କଡ଼ା ଯାଞ୍ଚ କରୁଛି। ତିନି ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏମ୍‌ପକ୍ସକୁ ନେଇ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା ହୋଇଥିଲେ ମଧ୍ୟ ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ଏହାର ମୁକାବିଲା ପାଇଁ କୌଣସି ପ୍ରସ୍ତୁତି ନଥିବା ଜଣାପଡ଼ିଛି। ଏହା ପୂର୍ବରୁ ୨୦୨୨ମସିହାରେ ଏମ୍‌ପକ୍ସକୁ ବୈଶ୍ବିକ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଇଥିଲା। ସେତେବେଳେ ବିଶ୍ୱର ୧୧୬ଟି ଦେଶରେ ଏକ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା ଏବଂ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେତେବେଳେ ଅନେକ ଶିଶୁମଧ୍ୟ ଏମ୍‌ପକ୍ସ ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା।ଏବେ ପୁଣି ବିଶ୍ବବ୍ୟାପୀ ଏହାର ପ୍ରକୋପ ବଢ଼ୁଥିବାରୁ ଏହା କରୋନା ଭଳି ମହାମାରୀରେ ପରିଣତ ହେବା ଆଶଙ୍କା ରହିଛି।
    ଏବେ ସର୍ବାଧିକ ଏମ୍‌ପକ୍ସ ମାମଲା ରହିଥିବା ରାଷ୍ଟ୍ରଗୁଡ଼ିକ ପାଇଁ ‘ହୁ’ ପକ୍ଷରୁ ସ୍ବତନ୍ତ୍ର ପରାମର୍ଶାବଳି ଜାରି କରାଯାଇ ଆକ୍ରାନ୍ତଙ୍କ କ୍ଷେତ୍ରରେ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଆଫ୍ରିକାର କଙ୍ଗୋ, ବୁରୁଣ୍ଡି, କେନିଆ, ରୱାଣ୍ଡା ଓ ଉଗାଣ୍ଡା ସମେତ ଅନେକ ଦେଶରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏମ୍‌ପକ୍ସର ଏକ ନୂଆ ପ୍ରଜାତି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବାରୁ ଏନେଇ ଅଧିକ ଗବେଷଣା ଜାରି ରହିଛି । ଆଫ୍ରିକା ମହାଦେଶରେ ଏମ୍‌ପକ୍ସ ଟିକାର ମାତ୍ରା ମଧ୍ୟ କମ୍ ରହିଛି। ସୂଚନାଯୋଗ୍ୟ, ଏମ୍‌ପକ୍ସ ଏକ ଭୂତାଣୁଜନିତ ସଂକ୍ରମଣ। ଏଥିରେ ପୀଡିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ଦ୍ରୁତ ଗତିରେ ବ୍ୟାପିଥାଏ। ଏମ୍‌ପକ୍ସ ଯୋଗୁଁ ସାମାନ୍ୟ ଜ୍ୱର ହେବା ସହ ଶରୀର ସାରା ଘା’ ସୃଷ୍ଟି ହୋଇଥାଏ। ଏହା ବ୍ୟତୀତ ପ୍ରବଳ ମୁଣ୍ଡବିନ୍ଧା ଓ ମାଂସପେଶୀ ଯନ୍ତ୍ରଣା ହୋଇଥାଏ। ଏବେ ଏମ୍‌ପକ୍ସ ନୂତନ ଭାବେ ରୂପାନ୍ତିରିତ ହୋଇ ଉଦ୍‌ବେଗଜନକ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଅଧିକାଂଶ ମାମଲା ବିଦେଶ ଫେରନ୍ତାଙ୍କ କ୍ଷେତ୍ରରେ ଚିହ୍ନଟ ହେଉଥିବା ବେଳେ ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ଅଛନ୍ତି। ସମଲିଙ୍ଗୀ ଯୌନ ସମ୍ପର୍କ ମଧ୍ୟ ଏହି ସଂକ୍ରମଣର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ସତର୍କତା ଏବଂ ଟିକାକରଣ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨୨ ଓ ୨୦୨୩ରେ ଉଲ୍ଲେଖନୀୟ ଭାବେ ନିୟନ୍ତ୍ରଣ ହୋଇଥିବା ବେଳେ ଏବେ ପୁଣି ଏହି ସଙ୍କଟ ନୂଆ ରୂପରେ ମୁଣ୍ଡ ଟେକିଛି। ଉଚ୍ଚ ଆୟକାରୀ ରାଷ୍ଟ୍ରଗୁଡ଼ିକରେ ଏମ୍‌ପକ୍ସ ମୁକାବିଲା ପାଇଁ ଆଧୁନିକ ଟିକା ଏବଂ ଆଣ୍ଟିଭାଇରାଲ ଔଷଧ ପର୍ଯ୍ୟାପ୍ତ ଉପଲବ୍ଧ ହେଉଥିବା ବେଳେ ଗରିବ ରାଷ୍ଟ୍ରଗୁଡ଼ିକରେ ସ୍ଥିତି ଭିନ୍ନ ରହିଛି। ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ଏମ୍‌ପକ୍ସ ଟିକା ଅଭାବ ଦେଖିବାକୁ ମିଳିଥିବା ବେଳେ ଏ ଦିଗରେ ସଚେତନତାର ଅଭାବ ମଧ୍ୟ ସମସ୍ୟାକୁ ବଢ଼ାଇ ଦେଇଛି।
    ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଏମ୍‌ପକ୍ସ ମାମଲା ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆଜି ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ଏମ୍‌ପକ୍ସ ପାଇଁ କୌଣସି ପ୍ରକାର ବଡ଼ ଧରଣର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ସମସ୍ତ ବିମାନବନ୍ଦର ଏବଂ ସେଠାରେ ଥିବା ସ୍ବାସ୍ଥ୍ୟ ଶାଖାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସହ ଟେଷ୍ଟିଂ ପାଇଁ ଲ୍ୟାବ୍‌ ପ୍ରସ୍ତୁତ ରଖିବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମାମଲାର ଚିହ୍ନଟ ସହ ରୋଗୀଙ୍କୁ ପୃଥକ୍‌ ରଖିବାପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ସଂପ୍ରତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏମ୍‌ପକ୍ସକୁ ବୈଶ୍ବିକ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରିଥିବାରୁ ଏ ଦିଗରେ ଭାରତ ସରକାର ମଧ୍ୟ ଯଥୋଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ବିମାନ ବନ୍ଦରରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ