ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ହୋଇପାରେ

ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ହୋଇପାରେ

ଉପରମୁଣ୍ଡରେ ବର୍ଷା କାରଣରୁ ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ବନ୍ୟା ପ୍ରଭାବରେ ମହାନଦୀ ଅବବାହିକାରେ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ତତ୍ପର ରହିଥିବାର ସେ କହିଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଗେଟ ଖୋଲାଯାଉଛି । ଏବେ ୧୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ବର୍ଷା ଅଳ୍ପ କମିଥିଲେ ମଧ୍ୟ ବିଭିନ୍ନ ନଦୀରେ ପ୍ରବାହିତ ଜଳସ୍ତର ବନ୍ୟା ଆଶଙ୍କା ସୃଷ୍ଟି କରିଛି। ତେବେ କେତେକ ନଦୀରେ ଜଳସ୍ତର କମିବାରେ ଲାଗିଛି। ବ୍ରାହ୍ଣଣୀ ନଦୀ ଜେନାପୁରଠାରେ ବିପଦ ସଙ୍କେତ ୨୩ମିଟର ଥିବାବେଳେ ୨୨.୨୫ ମିଟରରେ ପ୍ରବାହିତ ହେଉଛି।ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ରହିଛି ୧୮.୩୨ ମିଟର। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ରହିଛି ୮.୬୮ ମିଟର।