ପରଲୋକରେ ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପରଲୋକରେ ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
kalingatv

ଚାଲିଗଲେ ମନୋରମା ମହାପାତ୍ର । ସମାଜର ପୂର୍ବତନ ସମ୍ପାଦିକା ମନୋରମାଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମନୋରମାଙ୍କ ଦେହାନ୍ତ ଘଟିଛି । ସାମ୍ବାଦିକା, ଲେଖିକା, ସମାଜସେବୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମନୋରମା ୧୯୩୪ ଜୁନ୍ ୧୦ ତାରିଖରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଯୁବାବସ୍ଥା ଅତିବାହିତ କରିଥିଲେ ମନୋରମା । ତାଙ୍କ ବାପା ଡକ୍ଟର ରାଧାନାଥ ରଥ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ।

ଏ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ବିୟୋଗରେ ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି।

ସେ ରେଭେନ୍ସା କଲେଜ ଏବେର ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ୪୦ରୁ ଅଧିକ ବହି ଲେଖିଥିବା ବେଳେ ଏକାଧିକ ବହି ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି । ଏକାଧିକ ଥର ସେ ପୁରସ୍କୃତ ହୋଇଛି । ତାଙ୍କ ଲିଖିତ ଗଦ୍ୟ ଓ ପଦ୍ୟ ପୁସ୍ତକରେ ସମୟ ଓ ସମାଜର କଥା ବର୍ଣ୍ଣିତ । ତାଙ୍କ ଲିଖିତ ପ୍ରଥମ ପୁସ୍ତକ ହେଉଛି 'ଜୁଆର ଯେଉଁଠି ଉଠେ' ।

୧୯୭୬ରେ ସେ ସାହିତ୍ୟ ପାଇଁ ଝଙ୍କାର ସମ୍ମାନ ପାଇଥିଲେ । ୧୯୮୪ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା । ସେ ୧୯୮୨ରୁ ୧୯୯୦ ଯାଏଁ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ୧୯୯୧ରୁ ୧୯୯୪ ଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ । ୨୦୧୯ରେ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡି.ଲିଟ୍ ଉପାଧି ଦିଆଯାଇଥିଲା । ୧୯୯୮ରେ ଦୈନିକ ସମାଜର ସମ୍ପାଦକ ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଯାହାର ଭରଣା ଅସମ୍ଭବ ।