କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ନବୀନ ନନ୍ଦ

କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ  ଇସ୍ତଫା ଦେଲେ ନବୀନ ନନ୍ଦ

କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ। ସେ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ନନ୍ଦ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି ଯେ, ସେ ତାଙ୍କ ନିଜ ଇଚ୍ଛାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ମେଲ୍ ଯୋଗେ ପଠାଇ ଦେଇଛନ୍ତି।କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨୦୧୯ରେ ପ୍ରାର୍ଥୀ କରିଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଥାଉ କି, ୨୦୦୯ରେ ନବୀନ ନନ୍ଦ ଏନ୍‌ସିପି ଟିକେଟ୍‌ରେ ଢେଙ୍କାନାଳ ବିଧାନସଭା ଆସନରୁ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ଶ୍ରୀ ନନ୍ଦ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ କୋଲକାତାରେ ଏକ ସ୍ପାରୁ ଗିରଫ ହେବା ପରେ ୨୦୧୮ରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେବାକୁ ଇଚ୍ଛୁକ ଥିଲେ। କିନ୍ତୁ ବିଜେପି ତାଙ୍କୁ ଢେଙ୍କାନାଳ ଆସନରୁ ପ୍ରାର୍ଥୀ କରିପାରିବନି ବୋଲି ସଫା ସଫା କହିଥିଲା। ଏହା ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଓ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସେ ସେଥର ନିର୍ବାଚନରେ ହାରି ଯାଇଥିଲେ। ଶ୍ରୀ ନନ୍ଦଙ୍କ ଇସ୍ତଫା ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।