ଫ୍ୟୁଚର ରିଟେଲକୁ ଝଟକା: ଇସ୍ତଫା ଦେଲେ ସିଏଫଓ ସି ପି ତୋଶନିୱାଲ

ଫ୍ୟୁଚର ରିଟେଲକୁ ଝଟକା: ଇସ୍ତଫା ଦେଲେ ସିଏଫଓ ସି ପି ତୋଶନିୱାଲ

ପୂର୍ବରୁ କରଜରେ ଫସିଥିବା ଫ୍ୟୁଚର ରିଟେଲ ଗ୍ରୁପର ସମସ୍ୟା ଏବେ ପୁଣି ବଢିବାରେ ଲାଗିଛି । ନିକଟରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ, ଫ୍ୟୁଚର ସହିତ ଚୁକ୍ତି ରଦ୍ଦ କରିଦେଇଥିଲା । ଏହା ପରେ କମ୍ପାନୀର ଅନେକ କର୍ମଚାରୀ ଇସ୍ତଫା ଦେବାରେ ଲାଗିଛନ୍ତି । ଏବେ ଆଉ ଏକ ବଡ ସଙ୍କଟ ଦେଇ ଗତି କରୁଛି ଗ୍ରୁପ୍ । ଗ୍ରୁପର ମୁଖ୍ୟ ଆର୍ଥିକ ଅଧିକାରୀ(ସିଏଫଓ) ସି ପି ତୋଶନିୱାଲ କମ୍ପାନୀର ହାତ ଛାଡିଛନ୍ତି ।

ଏସମ୍ପର୍କରେ ଜାରି ଏକ ରିପୋର୍ଟ ଅନୁସାରେ ତୋଶନିୱାଲଙ୍କ ଇସ୍ତଫା ମେ ୧୨ରୁ ପ୍ରଭାବୀ ହୋଇଛି । କହିରଖୁଛୁ ଏହା ପୂର୍ବରୁ କମ୍ପାନୀର ଅନେକ ବଡ ବଡ ଅଧିକାରୀ କମ୍ପାନୀ ସହ ସମ୍ପର୍କ ଭାଙ୍ଗିଛନ୍ତି । ଏହି ସମସ୍ତ ଇସ୍ତଫା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଫ୍ୟୁଚର ରିଟେଲ ସହିତ ହେଉଥିବା ୨୪,୭୧୩ କୋଟି ଟଙ୍କାର ସମ୍ଭାବିତ ଚୁକ୍ତିକୁ ଗତ ମାସରେ ରଦ୍ଦ କରିବା ପରେ ଦିଆଯାଇଛି ।

ତୋଶନିୱାଲ, କିଶୋର ବିୟାନୀଙ୍କ ବହୁତ ପ୍ରିୟ ଥିଲେ ବୋଲି କୁହାଯାଉଛି । ଫ୍ୟୁଚର ରିଟେଲ ନିୟାମକ ସମ୍ବନ୍ଧିତ ଏକ ବୟାନରେ କୁହାଯାଇଛି କି ତୋଶନିୱାଲ କମ୍ପାନୀର କେଏମପି ପଦରେ ମଧ୍ୟ ରହିବେନି । ସୂଚନାଯୋଗ୍ୟ କିଶୋର ବିୟାନୀଙ୍କ ନେତୃତ୍ୱଧାନୀ ଫ୍ୟୁଚର ଗ୍ରୁପର ଏକ ପ୍ରମୁଖ ଫର୍ମ ଫ୍ୟୁଚର ରିଟେଲକୁ ଏବେ ନିଜ ଋଣଦାତାଙ୍କ ଦ୍ୱାରା ଏନସିଏଲଟି ସମ୍ମୁଖରେ ଦାୟର ହୋଇଥିବା ଦେବାଳିଆ ଯାଚିକାର ସାମ୍ନା କରିବାକୁ ପଡୁଛି । ଏହା ମଧ୍ୟରେ ଜଣେ ଜଣେ କର୍ମଚାରୀଙ୍କ ଇସ୍ତଫା କମ୍ପାନୀ ଉପରେ ଅଧିକ ଚାପ ପକାଉଛି ।