ବଢ଼ିଲା ଜିଡିପି

ବଢ଼ିଲା ଜିଡିପି
business-standard

ସୁଧୁରୁଛି ଭାରତୀୟ ଅର୍ଥବ୍ୟବସ୍ଥା । ଆସିଲା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ଜିଡିପି ରିପୋର୍ଟ । ପ୍ରଥମ ତ୍ରୟ ମାସରେ ଜିଡିପିରେ ଦମଦାର ଅଭିବୃଦ୍ଧି ରେକର୍ଡ । କୋରୋନା ସଙ୍କଟ ମଧ୍ୟରେ ପ୍ରଥମ ଥର ଜିଡିପି କ୍ଷେତ୍ରରେ ସାମ୍ନାକୁ ଆସିଛି ଭଲ ଖବର ।

କେନ୍ଦ୍ର ସରକାର ଆଜି ଚଳିତ ବର୍ଷର ପ୍ରଥମ ତ୍ରୟ ମାସିକ ଜିଡିପି ରିପୋର୍ଟ ଜାରି କରିଛନ୍ତି । ଏଥିରେ ଜିଡିପି ଅଭିବୃଦ୍ଧି ୨୦.୧ ପ୍ରତିଶତ ରହିଛି । ତେବେ ଗତବର୍ଷର ପ୍ରଥମ ତ୍ରୟ ମାସରେ ଜିଡିପି ଅଭିବୃଦ୍ଧି ହାର ମାଇନସ ୨୩.୯ ପ୍ରତିଶତ ଥିଲା । କହି ରଖୁଛୁ କି, କୌଣସି ଦେଶର ଅର୍ଥନୈତିକ ସ୍ଥିତିକୁ ମାପିବା ଦିଗରେ ଜିଡିପି ସର୍ବୋକୃଷ୍ଟ ମାପଦଣ୍ଡ ଅଟେ ।

ଏହା ପୂର୍ବରୁ RBIର ecowrap ରିସର୍ଚ୍ଚ ରିପୋର୍ଟରେ ଅନୁମାନ କରାଯାଇଥିଲା କି, ଚଳିତ ଆର୍ଥିକ ବର୍ଷର ଅପ୍ରିଲ-ଜୁନ ମାସରେ ଦେଶର ଜିଡିପି ୧୮.୫ ପ୍ରତିଶତ ବୃଦ୍ଧି ପାଇବ । ସେହିପରି RBI ପକ୍ଷରୁ ୨୧.୪ ପ୍ରତିଶତ ଅଭିବୃଦ୍ଧି ନେଇ ଅନୁମାନ କରାଯାଇଥିଲା । ଜିଡିପି କ୍ଷେତ୍ରରେ ଏହି ପୁନରୁଦ୍ଧାର ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଟ୍ରାକକୁ ଫେରୁଥିବାର ସଙ୍କେତ ଦେଇଛି ।

ଉଲ୍ଲେଖଯୋଗ୍ୟ, କରୋନା ସଙ୍କଟ ଭାରତୀୟ ଅର୍ଥବ୍ୟବସ୍ଥାକୁ ଶକ୍ତ ଝଟକା ଦେଇଥିଲା । ଫଳରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକରେ ୨୩.୯ ପ୍ରତିଶତ ଖସିଥିଲା ଭାରତୀୟ ଅର୍ଥବ୍ୟବସ୍ଥା । ଏହାପରେ ଦ୍ବିତୀୟ ତ୍ରୟ ମାସରେ ଜିଡିପି ୭.୫ ପ୍ରତିଶତ ଖସିଥିଲା । ତୃତୀୟ ତ୍ରୟ ମାସରେ ଏହି ହାର ୦.୪ ପ୍ରତିଶତ ରହିଥିଲା । ହେଲେ ଚତୁର୍ଥ ତ୍ରୟ ମାସରେ ଜିଡିପିରେ ୧.୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା ।