ସେନାକୁ ବଡ ସଫଳତା; ୩ ଆତଙ୍କବାଦୀ ନିହତ

ସେନାକୁ ବଡ ସଫଳତା; ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ଉରୀରେ ସେନାକୁ ବଡ ସଫଳତା । ଉରୀ ନିକଟସ୍ଥ ରାମପୁରରେ ସୀମା ପାର ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ମୃତ ଆତଙ୍କବାଦୀଙ୍କଠାରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଥିରେ ୫ AK-୪୭, ୮ଟି ପିସ୍ତଲ ଓ ୭୦ ଗ୍ରାନେଡ ସାମିଲ ରହିଛି । ପିଓେକେ ଦେଇ ଏହି ଆତଙ୍କବାଦୀ ଭାରତରେ ପ୍ରବେଶ କରିଥିବା କୁହାଯାଉଛି ।

ସେନା ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ, ଗୁରୁବାର ସକାଳେ ହାଛଲଙ୍ଗା ଜଙ୍ଗଲରେ ଅନୁପ୍ରବେଶ ପ୍ରୟାସ କରିଥିଲେ ଆତଙ୍କବାଦୀ । ହେଲେ ଏମାନଙ୍କୁ ମୁହଁତୋଡ ଜବାବ ଦିଆଯାଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ହୋଇଥିବାବେଳେ ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ ।

ସୀମାରେ ସନ୍ଦିଗ୍ଧ ଗତିବିଧି କାରଣରୁ ୧୮ ସେପ୍ଟେମ୍ବର ରାତିରେ ଉରୀ ସେକ୍ଟରରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆଜି ତଥା ଗୁରୁବାର ଅପରେସନର ପଞ୍ଚମ ଦିନ । ଯେଉଁ ସ୍ଥାନରେ ସନ୍ଦିଗ୍ଧଙ୍କୁ ଦେଖାଯାଇଥିଲା ତାହା ଗୋହଲାନ ନିକଟରେ ଅବସ୍ଥିତ । ଏଠାରେ ହିଁ ୨୦୧୬ରେ ଉରୀ ଆକ୍ରମଣ ହୋଇଥିଲା ।

୧୮ ସେପ୍ଟେମ୍ବର ୨୦୧୬ରେ ଆତଙ୍କବାଦୀମାନେ ଉରୀ ଆକ୍ରମଣ କରିଥିଲେ । ଲସ୍କର-ଏ-ତୋଏବା ଆକ୍ରମଣରୁ ନେଇ ନିଜକୁ ଦାୟୀ କରିଥିଲା । ଭାରତୀୟ ସେନା ଏହାର ଜବାବ ଲସ୍କରକୁ ପାକିସ୍ତାନ ମାଟିରେ ଦେଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନରେ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଧ୍ବଂସ କରିଦେଇଥିଲା ସେନା ।

ଗୁରୁବାର ଆତଙ୍କବାଦୀଙ୍କ ନିପାତ ପୂର୍ବରୁ ପ୍ରଥମ ଥର ଭାରତରେ ଆଫଗାନ ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ରହିଛି ଖବର ଆସିଥିଲା । ଏନେଇ ଆଲର୍ଟ ଜାରି କରିଛି ଗୁଇନ୍ଦା ଏଜେନ୍ସି । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଉରୀ ସେକ୍ଟରର ଏକ ପୋଷ୍ଟରେ ସୀମାରେ ଲାଗିଥିବା ତାରଜାଲି କାଟି ଆଫଗାନ ଆତଙ୍କୀ ଅନୁପ୍ରବେଶ କରିଛନ୍ତି । ପାକିସ୍ତାନ ସହାୟତାରେ ଏହି ଆତଙ୍କୀ ଭାରତର ସୀମାରେ ପ୍ରବେଶ କରପିଥିବା କୁହାଯାଉଛି ।