ଅବିଶ୍ୱସନୀୟ: ୩୦୦ ନିୟୁତ କିଲୋମିଟର ଦୂର ଗ୍ରହାଣୁରୁ ପୃଥିବୀକୁ ମୃତ୍ତିକା ଆଣୁଛି ଜାପାନ...

ଅବିଶ୍ୱସନୀୟ: ୩୦୦ ନିୟୁତ କିଲୋମିଟର ଦୂର ଗ୍ରହାଣୁରୁ ପୃଥିବୀକୁ ମୃତ୍ତିକା ଆଣୁଛି ଜାପାନ...

ପାଠକବନ୍ଧୁ ! ଶିରୋନାମାଟି ପଢ଼ି ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କିନ୍ତୁ ଏହା ବାସ୍ତବତା । ଜାପାନ ଦେଶର ମହାକାଶ ଯାନ ହାୟାବୁସା ୨ ଏକ କ୍ୟାପସୁଲ୍‌କୁ ସଫଳତାର ସହିତ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ ଏହି କ୍ୟାପସୁଲ୍‌ରେ ରହିଛି ଏକ ଗ୍ରହାଣୁ ପିଣ୍ଡର ମୃତ୍ତିକା ଏବଂ ଏହି ଗ୍ରହାଣୁ ପିଣ୍ଡଟି ପୃଥିବୀଠାରୁ ୩୦୦ ନିୟୁତ କିଲୋମିଟର ଦୂରରେ ରହିଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଏପରି ବିରଳ କୀର୍ତ୍ତି ସ୍ଥାପନ କରିବାରେ ଜାପାନ ବିଶ୍ୱର ପ୍ରଥମ ଦେଶ ପାଲଟିଛି । ସଂଗ୍ରହ କରାଯାଇଥିବା ମୃତ୍ତିକାର ଅନୁଧ୍ୟାନ କରି ବୈଜ୍ଞାନିକମାନେ ସୌରଜଗତର ମୂଳ ଏବଂ ପୃଥିବୀରେ ଜୀବ ସୃଷ୍ଟି ସମ୍ପର୍କିତ ଅନେକ ଲକ୍କାୟିତ ତଥା ମହତ୍ତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାରେ ସଫଳ ହେବେ ବୋଲି ଆଶା ରଖିଛି ଜାପାନ ମହାକାଶ ଗବେଷଣା ସଂସ୍ଥା । ସଦ୍ୟ ସୂଚନା ଅନୁସାରେ, ୨,୨୦,୦୦୦ କିଲୋମିଟର ଦୂରରେ ଥିବା ମହାକାଶଯାନ ଶନିବାର କ୍ୟାପ୍‌ସୁଲକୁ ନିଜଠାରୁ ଅତି ସଫଳତାର ସହିତ ପୃଥକ୍‌ କରି ପୃଥିବୀ ଅଭିମୁଖେ ପ୍ରେରଣ କରିଛି । ଜାପାନ ମହାକାଶ ଗବେଷଣା ସଂସ୍ଥା ଦେଇଥିବା ସୂଚନା ଅନୁସାରେ କ୍ୟାପ୍‌ସୁଲଟି ଅଷ୍ଟ୍ରେଲିଆର ଉମେରାରେ ଅବତରଣ କରିବ । ଏହି ଖବରଟି ଉପରେ ସାରା ବିଶ୍ୱର ଗଣମାଧ୍ୟମଗୁଡ଼ିକର ନଜର ରହିଥିବା ବେଳେ ଆମେ ମଧ୍ୟ ଆପଣଙ୍କୁ ଏ ସମ୍ପର୍କିତ ଅପଡେଟ୍‌ ନିୟମିତ ବ୍ୟବଧାନରେ ପ୍ରଦାନ କରିବୁ ।