ପରକିୟା ପ୍ରୀତିରୁ ଛାରଖାର ହୋଇଗଲା ସୁନାର ସଂସାର:ସ୍ବାମୀ ନେଲା ସ୍ତ୍ରୀର ଜୀବନ, ବେସାହାରା ଦୁଇ ଶିଶୁ

ପରକିୟା ପ୍ରୀତିରୁ ଛାରଖାର ହୋଇଗଲା ସୁନାର ସଂସାର:ସ୍ବାମୀ ନେଲା ସ୍ତ୍ରୀର ଜୀବନ, ବେସାହାରା ଦୁଇ ଶିଶୁ

ପରକିୟା ପ୍ରୀତିରୁ ଛାରଖାର ହୋଇଗଲା ସୁନାର ସଂସାର । ମା’ ଆଖି ବୁଜି ସାରିଥିବା ବେଳେ ବାପା ବି ପୁଲିସ୍‌ ହେପାଜତରେ। ଏବେ ବେସହାରା ହୋଇ ପଡ଼ିଛନ୍ତି ୨ କଅଁଳ ଶିଶୁ । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ଦେଖିବାକୁ ମିଳିଛି।ସିରିଗିଡା ଗ୍ରାମ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ନାୟକ ସାହିର ବବିତା ପେଣ୍ଠେଇଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ଏକ ୩ ବର୍ଷ ର ପୁଅ ଓ ଦେଢ଼ ବର୍ଷର ଝିଅ ଅଛି। ହେଲେ ବେଶି ଦିନ ତିଷ୍ଠିପାରିଲାନି ହସଖୁସିର ସଂସାର ।

ନରୋତ୍ତମ ବାହାରେ କାମ କରୁଥିବା ବେଳେ ବବିତାଙ୍କର ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ଗତ ୬ ତାରିଖରେ ବବିତା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଉକ୍ତ ଯୁବକଙ୍କ ସାଙ୍ଗରେ କେଉଁଆଡେ ପଳାଇଥିଲେ ଓ ଗତ ଦୁଇ ଦିନ ତଳେ ସେମାନେ ଗାଁକୁ ଫେରିଥିଲେ ।

ନରୋତ୍ତମ କିନ୍ତୁ ଆଉ ପତ୍ନୀଙ୍କୁ ଗ୍ରହଣ କରିନଥିଲେ ତେଣୁ ସେ ନିଜ ବାପ ଘରେ ରହିଥିଲା । ଏ ଘଟଣା ପରଠାରୁ ନରୋତ୍ତମଙ୍କ ମାନସିକ ସ୍ଥିତି ଭଲ ନଥିଲା । ପ୍ରତିଶୋଧ ନିଆଁରେ ଜଳୁଥିବା ନରୋତ୍ତମ ଯେପରି ପତ୍ନୀଙ୍କୁ ମାରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲା ସେ ।

ଗତକାଲି ରାତିରେ ନରୋତ୍ତମ ଘରୁ ଏକ ଟାଙ୍ଗିଆ ଧରି ବବିତାଙ୍କ ବାପଘରକୁ ଯାଇଥିଲେ। ବବିତା ଓ ତାଙ୍କ ମା’ ଘରେ ଶୋଇଥିବା ବେଳେ ନରୋତ୍ତମ ଝରକା ବାଟେ ରୁମ୍‌ରେ ପଶି ବବିତାଙ୍କ ବେକକୁ ଟାଙ୍ଗିଆରେ ଏକ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଏହାଦେଖି ଶାଶୁ ଗୋମତି ଚିତ୍କାର କରିବା ସହ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଧକ୍କା ଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଅଭିଯୁକ୍ତ ନରୋତ୍ତମକୁ ତା ଘରୁ ପୁଲିସ୍‌ ଗିରଫ କରିଛି।