୨୦୨୨ ପୁରୁଷ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌; ବାତିଲ୍‌ ହେଲା ୟୁରୋପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ...

୨୦୨୨ ପୁରୁଷ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌; ବାତିଲ୍‌ ହେଲା ୟୁରୋପ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ...

ଅଷ୍ଟ୍ରେଲିଆରେ ୨୦୨୨ ପୁରୁଷ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଏଥିପାଇଁ ଖେଳାଯିବାକୁ ଥିବା ୩ଟି ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟକୁ ଆଇସିସି ବାତିଲ କରିଦେଇଛି । ମହାମାରୀ କରୋନା କାୟା ମେଲାଇ ଚାଲିଥିବାରୁ ଅନ୍ୟ ବିକଳ୍ପ ନପାଇ ଆଇସିସି ଏଭଳି ନିଷ୍ପତ୍ତି ନେଇଛି । ପ୍ରାପ୍ତ ସୂଚନା ଅନୁସାରେ, ଆସନ୍ତା ମାସରେ ଫିନ୍‌ଲାଣ୍ଡ ପୂର୍ବ ନିର୍ଦ୍ଧାରିତ ସବ୍‌ ରିଜିଓନାଲ ୟୁରୋପ ‘ଏ’ ଓ ୟୁରୋପ ‘ବି’ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥା’ନ୍ତା । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଜୁନ୍‌ ୩୦ରୁ ଜୁଲାଇ ୫ତାରିଖ ଓ ଦ୍ୱିତୀୟ ସଂସ୍କରଣଟି ଜୁଲାଇ ୮ରୁ ୧୩ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥାନ୍ତା । ପ୍ରଥମ ସଂସ୍କରଣରେ ଆୟୋଜକ ଦେଶ ଫିନ୍‌ଲାଣ୍ଡ ସହିତ ଜର୍ମାନି, ଗିବ୍ରାଲଟର, ହଙ୍ଗେରି, ସ୍ୱିଡେନ, ଗୁଏନର୍ସ ଓ ଗ୍ରିସ ଅଂଶଗ୍ରହଣ କରିଥାନ୍ତେ, ସେହିଭଳି ଦ୍ୱିତୀୟ ସଂସ୍କରଣରେ ସ୍ପେନ୍‌, ଇଟାଲି, ମାଲ୍‌ଟା, ବୁଲ୍‌ଗେରିଆ, ସାଇପ୍ରସ, ଇସ୍ରାଏଲ୍‌,ନରଓ୍ୱେ ଓ ଫ୍ରାନ୍ସ ଭଳି ଦେଶ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ୨୦୨୨ କ୍ରିକେଟ ବିଶ୍ୱକପ ଲାଗି ନିଜର ସ୍ଥାନ ପକ୍କା କରିବା ଲାଗି ଉଦ୍ୟମ କରିଥାନ୍ତେ । ଉପରୋକ୍ତ ଦୁଇ ସଂସ୍କରଣ ଭଳି ଆଉ ଏକ ଯୋଗ୍ୟତା ଭିତ୍ତିକ ପ୍ରତିଯୋଗିତା ଜୁଲାଇ ୫ରୁ ୧୦ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥାନ୍ତା । ୟୁରୋପ ‘ସି’ କ୍ୱାଲିଫାୟର୍ସ ନାମରେ ନାମିତ ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗିତାରେ ଆୟୋଜକ ଦେଶ ସହିତ ବେଲ୍‌ଜିୟମ ସହିତ ଜେନ୍‌ମାର୍କ, ଇସ୍‌ଲେ ଅଫ୍‌ ମ୍ୟାନ୍‌,  ସର୍ବିଆ, ଚେକ୍‌ଗଣରାଜ୍ୟ, ଅଷ୍ଟ୍ରିଆ, ସର୍ବିଆ ଓ ପର୍ତ୍ତୁଗାଲ ପରସ୍ପର ମଧ୍ୟରେ ମୁକାବିଲା କରି ପ୍ରଥମଥର ବିଶ୍ୱକପ୍‌ ଭଳି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ପାଇଁ ପ୍ରଚେଷ୍ଟା କରିଥାନ୍ତେ, କିନ୍ତୁ କରୋନା ଏଥିରେ ବାଧକ ସାଜିଲା ।