ଆଫଗାନିସ୍ତାନରେ ଶ୍ରେଣୀଗୃହରେ ଛାତ୍ରୀ-ଛାତ୍ରଙ୍କ ମଧ୍ୟରେ ପରଦା ଟାଣି ଚାଲିଛି ପାଠପଢା

ଆଫଗାନିସ୍ତାନରେ ଶ୍ରେଣୀଗୃହରେ ଛାତ୍ରୀ-ଛାତ୍ରଙ୍କ ମଧ୍ୟରେ ପରଦା ଟାଣି ଚାଲିଛି ପାଠପଢା
freepressjournal

ପଞ୍ଜଶୀରରେ ପତାକା ଉଡ଼ାଇବା ପରେ ଯୁଦ୍ଧ ବିରାମ ଘୋଷଣା କରିଛି ତାଲିବାନ। ଏପଟେ ଆଫଗାନିସ୍ତାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି। ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ କ୍ଲାସ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ବି ଆରମ୍ଭ କରିଛନ୍ତି। ହେଲେ ଶ୍ରେଣୀ ଗୃହର ସ୍ଥିତି ଆଉ ପୂର୍ବପରି ନାହିଁ। ଛାତ୍ର ଛାତ୍ରୀମାନେ ପୂର୍ବଭଳି ସାଙ୍ଗରେ ପଠା ପଢୁଛନ୍ତି ସତ ହେଲେ ତାଲିବାନ ଭୟରେ ଶ୍ରେଣୀ ଗୃହରେ ଛାତ୍ରୀ ଓ ଛାତ୍ରଙ୍କ ମଝିରେ ପରଦା ଟଣାଯାଇଥିବା ଦେଖିବାକୁ ମିଳିଛି। ଅଲଗା ଅଲଗା ପାଠ ପଢ଼ାଇବାକୁ ସଙ୍ଗେ ସଙ୍ଗେ ଭିତ୍ତିଭୂମି ପ୍ରସ୍ତୁତ ହୋଇ ନଥିବାରୁ ଶ୍ରେଣୀ ଗୃହରେ ଏପରି ବ୍ୟବସ୍ଥା କରାଯାଇଛି।

ଏନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ସ୍ପଷ୍ଟ ଦେଖାଯାଉଛି ଯେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ବଡ଼ ବଡ଼ ପରଦା ଟଣାଯାଇଛି। ଫଳରେ କୌଣସି ଛାତ୍ର ଛାତ୍ରୀଙ୍କୁ ଦେଖିପାରିବେ ନାହିଁ କି ଛାତ୍ରୀ ମଧ୍ୟ ଛାତ୍ରଙ୍କୁ ଦେଖିପାରିବେ ନାହିଁ। ଶ୍ରେଣୀରେ କିଭଳି ପାଠ ପଡ଼ାଯିବ ସେ ନେଇ କିଛିଦିନ ପୂର୍ବେ କଟକଣା ଜାରି କରିଥିଲା ତାଲିବାନ। ଯେଉଁ ମହିଳାମାନେ ଘରୋଇ ବିଶ୍ୱ ବିଦ୍ୟାଳୟରେ ପାଠ ପଢ଼ିବେ ସେମାନେ ଅବୟ ରୋବ (ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଘୋଡ଼ାଇ ହୋଇଥିବା ବସ୍ତ୍ର ବା ବୁର୍ଖା) ପିନ୍ଧିବା ସହିତ ନକାବରେ ମୁହଁ ଘୋଡ଼ାଇବେ। ଲିଂଗତ ବିଭେଦ ଅନୁସାରେ ଶ୍ରେଣୀଗୃହ ଅଲଗା ଅଲଗା ହେବ। ନହେଲେ ଏକ ପରଦା ଦେଇ ଶ୍ରେଣୀ ଗୃହକୁ ଅଳଗା ଅଲଗା କରାଯିବ।

କେବଳ ସେତିକି ନୁହେଁ ନାରୀ ଶିକ୍ଷା ଉପରେ ଏକ ଲମ୍ବା ଫର୍ଦ୍ଦର କଟକଣା ଲଗାଇଛି ତାଲିବାନ। ତାଲିବାନ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ମହିଳା ଛାତ୍ରୀଙ୍କୁ କେବଳ ମହିଳା ଶିକ୍ଷିକାମାନେ ହିଁ ପଢ଼ାଇ ପାରିବେ। ଯଦି କୌଣସି କ୍ଷେତ୍ରରେ ତାହା ସମ୍ଭବ ହୋଇପାରିଲା ନାହିଁ ତେବେ ଭଲ ଚରିତ୍ର ଥିବା ବୃଦ୍ଧ ଶିକ୍ଷକମାନେ ମହିଳା ଛାତ୍ରୀଙ୍କୁ ପାଠ ପଢ଼ାଇ ପାରିବେ ବୋଲି ତାଲିବାନ କହିଥିଲା।